ମାଓ ସ୍ଥିତିର ସମୀକ୍ଷାକଲେ ସିଆରପିଏଫ ଆଇଜି ସଂଗ୍ରାମ ମହାନ୍ତି

ରାୟଗଡ଼ା,ଏନ୍ଏନ୍ଏସ୍: ଦିନିକିଆ ରାୟଗଡ଼ା ଜିଲ୍ଲାଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ସିଆରପିଏଫ ଆଇଜି (ଓଡ଼ିଶା ରେଞ୍ଜ) ସଂଗ୍ରାମ କେଶରୀ ମହାନ୍ତି। ରାୟଗଡ଼ା ସଦର ମହକୁମାସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନରେ  ମାଓବାଦୀଙ୍କ ସ୍ଥିତି ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଯଥେଷ୍ଟ କମିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ତ୍ରିଲୋଚନପୁରରେ ନୂଆ ସିଆରପିଏଫ କ୍ୟାମ୍ପ ହେବାଦ୍ୱାରା ନିୟମଗିରି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଯଥେଷ୍ଟ କମିଥିବା ପ୍ରକାଶ କରିବାସହ କଲ୍ୟାଣସିଂହପୁର ନିୟମଗିରି ଅଞ୍ଚଳରେ କିଛି ମାତ୍ରାରେ ମାଓବାଦୀ ଗତିବିଧି ଥିବା ଶ୍ରୀମହାନ୍ତି ସୂଚନା ଦେଇଥିଲେ। ସିଆରପିଏଫ ତରଫରୁ କରାଯାଉଥିବା ଜନସମ୍ପର୍କ ଶିବିର ଯୋଗୁଁ ଲୋକେ ସିଆରପିଏଫର ବିଶ୍ୱାସଭାଜନ ହୋଇପାରୁଛନ୍ତି।

କରୋନା ମହାମାରୀ ଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିବାପାଇଁ ସିଆରପିଏଫ ଯବାନମାନେ କାର୍ଯ୍ୟରତ ଥିଲେ। କରୋନା ମହାମାରୀ ମୁକାବିଲା ପାଇଁ ସମସ୍ତ ସିଆରପିଏଫ ବାଟାଲିୟନକୁ ଆସିଥିବା ୧ ଲକ୍ଷ ୩୫ ହଜାର ଟଙ୍କାର ମାସ୍କ, ସାବୁନ, ସାନିଟାଜର ବଣ୍ଟନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ରେଞ୍ଜ ସିଆରପିଏଫ ଡିଆଇଜି ଏସଡି ପାଣ୍ଡେ, ରେଞ୍ଜ ଅଫିସ କମାଣ୍ଡାଣ୍ଟ ବଳରାମ ବେହେରା, କମାଣ୍ଡାଣ୍ଟ ୱାଇକେ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।