ଦେବଗଡ଼,ଏନ୍ଏନ୍ଏସ୍:୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ବିଗତ କିଛିମାସ ହେଲା ନିମ୍ନମାନର କାର୍ଯ୍ୟ ଏବଂ ଫ୍ଲାଇଓଭର ଭୁଶୁଡିବା ଘଟଣା ପାଇଁ ଚର୍ଚ୍ଚାରେ ରହିିଥିବାବେଳେ ଏବେ ବାଳିଆପିଟା ନାଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହେଉଛି। ତେବେ ରାଜସ୍ୱ ବିଭାଗ ସବୁ ଜାଣିଶୁଣି ଚୁପ ବସିଛି। ସୂଚନା ଅନୁଯାୟୀ, ବାଳିଆପିଟା ନାଳରୁ ବେଆଇନ ଭାବେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରି ୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବାବେଳେ ରାଜସ୍ୱ ବିଭାଗର କୌଣସି କର୍ମଚାରୀ, ପୁଲିସ ଅଧିକାରୀ, ରାଜନୈତିକ ନେତା କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି କେହି ହେଲେ ଆପତ୍ତି କରୁନାହାଁନ୍ତି। ଫଳରେ ସମ୍ପୃକ୍ତ ସଂସ୍ଥା ଏଭଳି ବେଆଇନ ବାଲି ଉତ୍ତୋଳନ ନିର୍ବିଘ୍ନରେ ଜାରିରଖିଛି।
ଏ ସମ୍ପର୍କରେ ଦେବଗଡ଼ ରାଜସ୍ୱ ନିରୀକ୍ଷକ ସଞ୍ଜିତ ବେହେରାଙ୍କୁ ପଚାରିବାରୁ ‘ବାଳିଆପିଟା ନାଳରୁ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ପୂର୍ବରୁ ଉକ୍ତ ନିର୍ମଣକାରୀ ସଂସ୍ଥାଠାରୁ ଥରେ/୨ ଥର ଫାଇନ ଆଦାୟ କରାଯାଇଛି’ବୋଲି ଉତ୍ତର ଦେଇଥିଲେ। ହେଲେ କେବେ ଓ କେତେ ଟଙ୍କା ଫାଇନ ଆଦାୟ କରାଯାଇଛି ତାହା ତହସିଲ କାର୍ଯ୍ୟାଳୟରେ ଜଣାପଡ଼ିବ ବୋଲି କହିଥିଲେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ମତାମତ ଲୋଡିବା ପାଇଁ ତହସିଲଦାର ପଲ୍ଲବୀ ନାୟକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ ରିସିଭ କରିନଥିଲେ। ଏଣୁ ଖୋଦ୍ ଜିଲ୍ଲାପାଳ ଏବଂ ଜିଲ୍ଲା ଏସପି ଏ ଘଟଣାରେ ହସ୍ତକ୍ଷେପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।