ରାୟଗଡ଼ା,ଏନ୍ଏନ୍ଏସ୍: ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି। ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ନୀରିହ ଲୋକଙ୍କ ଜୀବନ ନେବାକୁ ପଛାଉନାହାଁନ୍ତି ଲୋକେ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଏପରି ଘଟଣା ବହୁଳଭାବରେ ଦେଖିବାକୁ ମିଳେ। ପ୍ରକାଶ ଯେ, ଗତ ଫେବୃଆରୀ ମାସରେ ରାୟଗଡ଼ା ସଦର ବ୍ଲକ୍ ସେଶଖାଲ ଥାନା ଅଧୀନ ବାଲାପାଡୁ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟାକାଣ୍ଡା ଘଟିଥିଲା। ଏହି ଘଟଣାରେ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇଜଣ ମିଶି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ତେବେ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ବିଗତ ୮ ବର୍ଷ ମଧ୍ୟରେ ୧୦ରୁ ଉଦ୍ଧ୍ୱର୍ ମୁଣ୍ଡ ଗଡ଼ିଥିବାବେଳେ ୬୦ରୁ ଊଦ୍ଧ୍ୱର୍ ମାମଲା ବିଭିନ୍ନ ଥାନାରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଚାରିବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ଗୁଣିଗାରେଡ଼ି ଜନିତ ଚାରୋଟି ମାମଲା ରହିଛି। ଯେଉଁଥିରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ୨୦୧୬ ମସିହାରେ ଅନ୍ଧବିଶ୍ୱାସ ସମ୍ବନ୍ଧୀୟ ୨ଟି କେସ୍ ଥାନାରେ ଦାୟର ହୋଇଥିବାବେଳେ ୨୦୧୭ ଓ ୨୦୧୮ମସିହାରେ ସଂଖ୍ୟା ଶୂନ ରହିଥିଲା। ୨୦୧୯ମସିହାରେ ଗୋଟିଏ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲ। ସେହିପରି ଚଳିତବର୍ଷ ଗୋଟିଏ ମାମଲା ରୁଜୁ ହୋଇଥିଲା। ଏଥିରେ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ବର୍ତ୍ତମାନ ଏନେଇ ଜିଲ୍ଲ ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ କହିଛନ୍ତି ଅନ୍ଧବିଶା୍ୱସ ସମ୍ବନ୍ଧୀୟ ଅପରାଧ ନିରୋଧ ଆଇନ ପ୍ରଣୟନ ହୋଇଥିବାରୁ ଏହା ମାଧ୍ୟମରେ ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ଘଟଣା କୌଣସି ସ୍ଥାନରେ ଦେଖାଦେଲେ ଉକ୍ତ ଅଞ୍ଚଳରେ ପୁଲିସ ପହଞ୍ଚି ଲୋକଙ୍କୁ ସଚେତନ କରୁଛି। ଏହାକୁ ରୋକିବା ଦିଗରେ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟତଃ ଦୁର୍ଗମ ଅଞ୍ଚଳରେ ଏପରି ଘଟଣା ସାମ୍ନାକୁ ଆସୁଛି। ତେଣୁ ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ ନକରି ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ବିବେକ ସୂଚନା ଦେଇଛନ୍ତି।