ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରତି ଆରପିଏଫ୍ ଷ୍ଟେସନରେ ୧୫ ଦିନ ମଧ୍ୟରେ ଜନ ସୂଚନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ଇଷ୍ଟକୋଷ୍ଟ ରୋଳବାଇ ଭୁବନେଶ୍ୱର ଓ ଏବଂ ସାଉଥ୍ ଇଷ୍ଟର୍ଣ୍ଣ ରେଳବାଇ ଚକ୍ରଧରପୁର (ସିଂହଭୁମ ଜିଲ୍ଲା) ସହ ଆଇଜି, ଆରପିଏଫ୍ଙ୍କୁ କେନ୍ଦ୍ରୀୟ ସୂଚନା କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆରଫିଏଫ୍ ଷ୍ଟେସନରେ କେନ୍ଦ୍ରୀୟ ସୂଚନା ପ୍ରାଦାନକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଇନ୨୦୦୫ ମାସିହାରୁ ପ୍ରଣୟନ ହୋଇଛି। ହେଲେ ରେଳବାଇ ଷ୍ଟେସନରେ ଥିବା ଆରପିଏଫ୍ ଥାନାଗୁଡିକ କୌଣସି ଜନସୂଚନା ଅଧିକାରୀଙ୍କୁ ନିଯୁକ୍ତି କରି ନଥିବାରୁ କେନ୍ଦ୍ର ସୂଚନା କମିଶନ ଏହି ଆଦେଶ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରେଳର ଯାତ୍ରା କରୁଥିବା ଯାତ୍ରୀମାନେ ସେମାନଙ୍କର ସୁରକ୍ଷା, ଯାତ୍ରାକାଳୀନ ଅବ୍ୟବସ୍ଥା, ଚୋରି, ଟିକେଟ କଳାବାଜାରୀ, ରେଳ ଦୁର୍ଘଟଣା, ରେଳବାଇ ଷ୍ଟେସନର ସ୍ୱଚ୍ଛତା, ପରିବେଶ ତଥା ଅନ୍ୟାନ୍ୟ ବିଷୟରେ ଅଭିଯୋଗ କରି ୪୮ ଘଣ୍ଟା ମଧ୍ୟରେ ଏନେଇ ସୂଚନା ପାଇ ପାରିବେ। ଝାରସୁଗୁଡ଼ା ରେଳବାଇ ଅଧୀନରେ ଚାଲୁଥିବା ଏକ ରେଳ ଧାରଣା ୱେଲଡିଂ କାରଖାନାରେ କାର୍ଯ୍ୟ କରୁଥିବା କେ. ସୁରେଶ ନାମକ ଏକ କୁଶଳୀ ଶ୍ରମିକଙ୍କ ଅଭିଯୋଗ ପରେ ଏହି ଶୁଣାଣି କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡା ଆରପିଏଫ୍ ଇନ୍ସପେକ୍ଟର ୨୦୦୫ ମସିହାରେ ସୁରେଶଙ୍କ ବିରୋଧରେ ୪ ଟି ଫୌଜଦାରୀ ମୋକଦ୍ଦମା ଥିବା ଦର୍ଶାଇ ତାଙ୍କୁ ଚାକିରିରୁ ବହିଷ୍କାର କରିବା ନେଇ ରେଳବାଇ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ଏହି ଚିଠିକୁ ତତ୍କ୍ଷଣାତ୍ କାର୍ଯ୍ୟକାରୀ କରାଯାଇ ସୁରେଶଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିଲା। ଏହାପରେ ନ୍ୟାୟ ପାଇଁ ସୁରେଶ ଦୀର୍ଘ ୧୫ ବର୍ଷ ଥାନାକୁ ଦୌଡିଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିଲେ। ଫଳରେ ଏହି ଗରିବ ଶ୍ରମିକ ଜଣକ ଆଇନଗତ ସାହାଯ୍ୟ ପାଇବା ଉଦ୍ଦେଶ୍ୟରେ କଟକସ୍ଥିତ ଜନସୂଚନା ଆଇନ କେନ୍ଦ୍ରର ଦ୍ୱାରସ୍ତ ହୋଇଥିଲେ। ଏହାପରେ କେନ୍ଦ୍ରର ମୁଖ୍ୟ ଲଲିତ କୁମାର ମିଶ୍ର ସୂଚନା ଅଧିକାର ଆଇନ ଦ୍ୱାରା ନିର୍ଦ୍ଧାରିତ ଏକ ଆବେଦନ ଫର୍ମରେ ଝାରସୁଗୁଡ଼ା ଆରଫିଏଫ୍ ଇନ୍ସପେକ୍ଟରଙ୍କୁ ସୁରେଶଙ୍କ ବିରୋଧରେ ଥିବା ୪ଟି ଫୌଜଦାରୀ କେସ୍ର ବର୍ତ୍ତମାନର ସ୍ଥିତି ସମ୍ବନ୍ଧୀୟ ସମସ୍ତ ତଥ୍ୟ, ସେହି କେସ୍ଗୁଡିକର ଚୁଡାନ୍ତ ନିଷ୍ପତ୍ତି କେବେ ଆସିବ ଏବଂ କେଉଁ ଆଇନ ବଳରେ ସୁରେଶଙ୍କୁ ଚାକିରିରୁ ବାହାର କରାଗଲା ବୋଲି ପଚାରିଥିଲେ। ହେଲେ ଆରପିଏଫ ସୂଚନା ଅଧିକାରୀ ଆଇନ୍ ପରିସରଭୁକ୍ତ ନୁହନ୍ତି ବୋଲି ପ୍ରତିତ୍ତୋର ଦିଆଯାଇଥିଲା। ଆରପିଏଫ୍ର ଏହି ଉତ୍ତର ବିରୋଧରେ ଶ୍ରୀ ମିଶ୍ର ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ହେଲେ ସେଠାରେ ତାଙ୍କର ଆବେଦନକୁ ଫେରାଇ ଦିଆଯାଇଥିଲା। ଫଳରେ ସେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିକଟରେ ସୂଚନା ଆଇନ ଧାରା୧୮(୧) (କ) ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗର ବିଚାର କରି ଉଭୟ ଇଷ୍ଟକୋଷ୍ଟ ରେଳବାଇ, ଭୁବନେଶ୍ୱର ଏବଂ ସାଉଥ ଇଷ୍ଟର୍ଣ୍ଣ ରେଳବାଇ ଚକ୍ରଧରପୁର (ସିଂହଭୁମ ଜିଲ୍ଲା) ସହ ଆଇଜି, ଆରପିଏଫ୍ଙ୍କୁ ଓଡିଶାର ସମସ୍ତ ଆରପିଏଫ୍ ଷ୍ଟେସନରେ ଜନସୂଚନା ଅଧିକାରୀଙ୍କ ନିଯୁକ୍ତି ପାଇଁ କେନ୍ଦ୍ରୀୟ ସୂଚନା କମିଶନ ନିର୍ଦ୍ଦେଶ ଦେଇଛନ୍ତି।