ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡା ସଦର ବ୍ଲକ ଅଧିନ ପିତାମହଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରଗୁଡା ଗ୍ରାମରେ ମନରେଗା ଯୋଜନା ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରେ ୮ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଲରେ ଚାଲୁଥିବା ନୂତନ ପୋଖରୀ ଖନନ କାର୍ଯ୍ୟକୁ ବୁଲି ଦେଖିଥିଲେ ଜିଲ୍ଲାପାଳ। ସେହିପରି ଝାରବେଡ଼ା ଗ୍ରାମରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ପୋଖରୀ ଉନ୍ନତି କରଣ କାମ ପରିଦର୍ଶନ କରିଥିଲେ ଶ୍ରୀ ବେହେରା ।
ଏହାପରେ ମାଣିକଝୋଲା ଗ୍ରାମରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ପୋଖରୀ କାମ ବୁଲି ଦେଖିଥିଲେ ଜିଲ୍ଲାପାଳ । ସେଠାରେ ଆଶା, ଅଙ୍ଗନୱାଡି ଓ ଏସ.ଏଚ. ଜି ମହିଳାଙ୍କ ସହିତ ଆଲୋଚନା କରିଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ମଜୁରୀ, ଚାଉଳ ଜଣକ ପିଛା ୫ କେଜି ଓ ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଗ୍ରାମବାସୀମାନେ ପାଉଛନ୍ତି ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।
ଗ୍ରାମବାସୀଙ୍କୁ ହାତ ଧୁଆ ଓ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମବାସୀମାନେ ଏକ ସଲାର ବୋରୱଲ ଯୋଗାଇଦେବା ପାଇଁ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲାପାଳ ତେନ୍ତାଲିଗୁଡ଼ା ଗ୍ରାମରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ପୋଖରୀ ଖନନ କାମ ବୁଲି ଦେଖିଥିଲେ । ସେଠାରେ ୩୦ଜଣ ଶ୍ରମିକ କାମରେ ଲାଗିଥିବା ଦେଖିଲେ ଓ ସେମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଶ୍ରୀରାମନଗର ଠାରେ ନୂତନ ପୋଖରୀ ଖନନ କାର୍ଯ୍ୟ ବୁଲିବା ସହ ସେଠାରେ ତାମିଲନାଡ଼ୁ ଫେରନ୍ତା ୨୧ଜଣ ପ୍ରବାସୀ ଶ୍ରମିକମାନେ କାମରେ ଲାଗିଥିବା ଦେଖିଲେ । ସେମାନଙ୍କ ସହିତ ଅସୁବିଧା ସୁବିଧା ବିଷୟରେ ଆଲୋଚନା କରିଥଲେ ।
ଶ୍ରମିକମାନେ ଆଉ ଗାଁ’ ଛାଡି ଯିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ । ଏଠାରେ ଶ୍ରମିକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ । ଏହି ପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ସହିତ ବିଡିଓ ରାଜେନ୍ଦ୍ର ମାଝୀ, ଅତିରିକ୍ତ ବିଡିଓ ନୃସିଂହ ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । ଏହାପରେ ଜିଲ୍ଳାପାଳ ତାଡ଼ମା ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା କୋଭିଡ୍ କ୍ୟାୟର ସେଣ୍ଟର ବୁଲି ଦେଖିଥିଲେ । ସେଠାରେ ନର୍ସ, ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଆଲୋଚନା କରିଥିଲେ ।