ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଥାନା ସମ୍ମୁଖରେ ବସିଲେ ଅନ୍ତେବାସୀ ଜିଲ୍ଲାରାଜ୍ୟ By Nitidin On May 18, 2020 Share ରାୟଗଡା,ଏନ୍ଏନ୍ଏସ୍ : ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ ଆଣିଲେ ଅନ୍ତେବାସୀ। ଶେଷରେ କିଛି ଉପାୟ ନପାଇ ଥାନା ସମ୍ମୁଖରେ ଧାରଣାରେ ବସି ଅଭିଯୋଗ ଆଣିଲେ । ବାରମ୍ବାର ଘରକୁ ପଠାଇବା କହି ଫାଙ୍କି ଚାଲିଛି ପ୍ରଶାସନ। ଏଭଳି ୩୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ସଂଗରୋଧ କେନ୍ଦ୍ରରୁ ବାହାରି ଥାନାର ଦ୍ୱାରସ୍ଥ ଜିଲ୍ଲାରେ ଚର୍ଚାର ବଢ଼ାଇଛି। ରାୟଗଡା ଜିଲ୍ଲାରେ କମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଶହଶହ କିଲୋମିଟର ପାଦରେ ଚାଲିବା ପରେ ମଧ୍ୟ ଶେଷରେ ଫସୁଛନ୍ତି ସିମାନ୍ତ ରାୟଗଡ଼ା ସହରରେ। ରାଜ୍ୟ ସରକାର ନିଜ ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚଲାଇ ନଦେବାକୁ ନିର୍ଦ୍ଦେଶ ପରେ ମଧ୍ୟ ଥମୁନି ପ୍ରବାସୀଙ୍କ ଦୁଖଃ। ନିଜ ତଥା ପରିବାର ଗୁଜୁରାଣ ମେଂଟାଇବାକୁ ଯାଇ ବାହାର ରାଜ୍ୟରେ ଦୁଇ ପଇସା ରୋଜଗାର କରି ପରିବାରର ଜୀବିକା ନିର୍ବାହ କରୁଥିବାବେଳେ ତାଲାବନ୍ଦ ଯୋଗୁଁ ସବୁ ଠପ ହୋଇଯାଇଛି। କମ୍ପାନୀ ବନ୍ଦ ଯୋଗୁଁ ଯେଉଁ ଠିକାଦାର ପ୍ରବାସୀ ଶ୍ରମିକଙ୍କୁ କମ୍ପାନୀରେ କାର୍ଯ୍ୟ କରାଉଥିଲେ ସେମାନେ ମଧ୍ୟ ଆଉ ଶ୍ରମିକଙ୍କ ପାଉଣା ଦେଉନାହାନ୍ତିି। ଲକଡାଉନକୁ ଇତି ମଧ୍ୟରେ ଦୀର୍ଘ ଦେଢମାସରୁ ଉଦ୍ଧ୍ୱର୍ ବିତିଯାଇଥିଲେ ସୁଦ୍ଧା ଜିବୀକା ହରାଇ ଭୋକ ଉପାସରେ ରହି ଶେଷରେ ପ୍ରାଣ ବିକଳରେ ଜନ୍ମମାଟିକୁ ଫେରୁଛନ୍ତି ପ୍ରବାସୀ। ପରିବହନ ବ୍ୟବସ୍ଥା ବନ୍ଦ ହୋଇ ଥିବାରୁ ପ୍ରବାସୀ ଶ୍ରମିକମାନେ ପାଦରେ କିମ୍ବା ସାଇକେଲରେ ଘରକୁ ଫେରିଛନ୍ତି। ଦକ୍ଷିଣ ଭାରତର ଆନ୍ଧ୍ର, ତେଲେଙ୍ଗାନା ଓ ତାମିଲନାଡୁ ଆଦି ରାଜ୍ୟକୁ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ବରଗଡ ଆଦି ଜିଲ୍ଲାର ପ୍ରବାସୀ ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି। ଏଭଳି ଦୁଖଃ ସମୟରେ ପ୍ରଶାସନ ମଧ୍ୟ ଏମାନଙ୍କୁ ସାବତପୁଅ କରିଥିବା ଆଭିଯୋଗ ହୋଇଛି। ବିଗତ ପାଂଚଦିନ ପୂର୍ବେ ଦକ୍ଷିଣ ଭାରତରୁ ପ୍ରାୟ ୩୦ଜଣ ପ୍ରବାସୀ ଘର ଅଭିମୁଖେ ଫେରୁଥିବା ସମୟରେ ଏମାନଙ୍କୁ ରାୟଗଡା ଓ ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କେରେଡାଠାରେ ଅଟକ ରଖି ସେମାନଙ୍କ ସରକାରୀ ନିୟମ ଅନୁଯାୟୀ ପଞ୍ଜୀକରଣ କରାଯାଇଥିଲା। ପରେ ସମସ୍ତଙ୍କୁ ରାୟଗଡାର ଜିସିଡି ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଟିତ ଅସ୍ଥାୟୀ ଟିଏମସି କେନ୍ଦ୍ରକୁ ପଠାଯାଇଥିଲା। ବିଗତ ତିନିଦିନଠାରୁ ଉକ୍ତ ଟିଏମସି କେନ୍ଦ୍ରରେ ଏହି ଅନ୍ତେବାସୀମାନେ ରହି ଆସୁଥିବାବେଳେ ସେମାନଙ୍କୁ ଠିକ ରୂପେ ଖାଦ୍ୟ ପାନୀୟ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି। ଏଥିସହ ସଂଗରୋଧ କେନ୍ଦ୍ରରେ ମହିଳାଙ୍କ ସକାଶେ ଶୌଚାଳୟ ବ୍ୟବସ୍ଥା ନଥିବାରୁ କେନ୍ଦ୍ରରେ ରହିଥିବା ମହିଳା ଅକଥନୀୟ ଅବ୍ୟବସ୍ଥାର ସମ୍ମୁଖିନ ହୋଇଥିବା ମହିଳା ଅନ୍ତେବାସୀ ଆଭିଯୋଗ କରିଛନ୍ତି। ତେବେ ବାରମ୍ବାର କେନ୍ଦ୍ର ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ସମସ୍ୟା ଖୁବଶିଘ୍ର ସମାଧାନ ହେବ କହି ବିଷୟକୁ ଏଡାଇବା ସହ ବସ ଯୋଗେ ସମସ୍ତଙ୍କୁ ନିଜ ଘରକୁ ପଠାଯିବ ବୋଲି ବିଗତ ତିନଦିନରୁ ସମାନ କଥା କହି ଠକି ଚାଲିଛନ୍ତି ସେମାନେ ଅଭିଯୋଗ କରିଛନ୍ତି। ପରିଶେଷରେ କୌଣସି ଉପାୟ ନପାଇ ପୁଲିସ ନିକଟରେ ନିଜ ଅଭିଯୋଗ ଦାୟର କରିବା ପାଇଁ ପୁଲିସ ଥାନାରେ ପହଚିଂଥିଲେ ଅନ୍ତେବାସୀ । କିନ୍ତୁ ଥାନାରେ ମଧ୍ୟ ପୁଲିସ ବାବୁ ନଥିବା କହି ଆମକୁ ଗେଟ ବାହାରେ ଠିଆ ହେବାକୁ ପଲିସ ଅଧିକାରୀ କହିଥିବା ଅନ୍ତେବାସୀ କହିଛନ୍ତି। ଏଭଳି କୋହ ଭରା କଣ୍ଠରେ ସଂଗରୋଧ କେନ୍ଦ୍ରରୁ ବାହରି ସ୍ଥାନୀୟ ଟାଉନ ଥାନା ସମ୍ମୁଖରେ ବସିବା ସହ ଗଣମାଧ୍ୟମକୁ ଅନ୍ତେବାସୀ ନିଜ ଦୁର୍ଦ୍ଦଶାର କାହାଣି ବଖାଣିଛନ୍ତି। ଏ ନେଇ ପୌରପାଳୀକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ସତପଥିଙ୍କୁ ପ୍ରତିକ୍ରିୟା ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ଅମୂଳକ। ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ସକାଶେ ସମସ୍ତ ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ମାନ ଖାଦ୍ୟ ପ୍ରଦାନ ହେଉଛି। ଉକ୍ତ ଅନ୍ତେବାସୀଙ୍କୁ ଖୁବଶିଘ୍ର ଘରକୁ ପଠାଯିବ। ୪୦ରୁ ଉଦ୍ଧ୍ୱର୍ ଲୋକେ ଏକତ୍ରିତ ହେଲେ ସମାନଙ୍କୁ ନିଜ ଗନ୍ତବ୍ୟସ୍ତଳକୁ ପ୍ରଶାସନ ପକ୍ଷରୁ ପଠାଯାଇ ପାରିବ ବୋଲି ଶ୍ରୀ ସତପଥି ସୂଚନା ଦେଇଛନ୍ତି। Share