ଦିଲ୍ଲୀରେ ଏବେ ରାସନର ହେବ ହୋମ ଡେଲିଭରି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବେ ରାସନର ହୋମ ଡେଲିଭରି କରିବାକୁ ଯାଉଛି। ଆଜ୍ଞା ହଁ, ଦିଲ୍ଲୀବାସୀଙ୍କୁ ଏବେ ରାସନ ପାଇଁ ଦୋକାନ ଯିବାକୁ ପଡ଼ିବନି ଘରେ ବସି ଏହି ସୁବିଧା ପାଇପାରିବେ। ଦିଲ୍ଲୀର କେଜ୍ରିୱାଲ ସରକାର ‘ଘର ଘର ରାସନ ଯୋଜନା’କୁ ସବୁଜ ସଙ୍କେତ ଦେଖାଇଛନ୍ତି। ଏହି ଯୋଜନାରେ ଗହମ ଜାଗାରେ ଏଥିରୁ ପ୍ରସ୍ତୁତ ଅଟା ପ୍ୟାକେଟ ଓ ପୂର୍ବରୁ ଅଧିକ ସଫା ଓ ପ୍ୟାକେଟ ଚାଉଳ ବିତରଣ କରାଯିବ। ଏହି ହୋମ ଡେଲିଭରି ପାଇଁ ଲାଭାର୍ଥୀଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ। କିନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ ସେନେଇ କୌଣସି ସୂଚନା ମିଳିନାହିଁ।

ଏହି ଯୋଜନାର ପାରଦର୍ଶିତାକୁ ବଜାୟ ରଖିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଏଫସିଆଇରୁ ଖାଦ୍ୟ ସାମଗ୍ରୀ ନେବାଠୁ ପ୍ୟାକେଜିଂ ଓ ଲାଭାର୍ଥୀଙ୍କ ପାଖରେ ପ୍ୟାକେଟ ପହଞ୍ଚିବା ପର୍ଯ୍ୟନ୍ତର ସବୁ କାମ ସିସିଟିଭିରେ କଏଦ ହେବ। ଏହି କାମରେ ବ୍ୟବହୃତ ହେବାକୁ ଥିବା ଗାଡ଼ିରେ ଜିପିଏସ୍ ଇନଷ୍ଟୋଲ କରାଯିବ। ଫଳରେ ଗାଡ଼ିର ଯିବା ଆସିବା ଉପରେ ମଧ୍ୟ ନଜର ରଖାଯାଇପାରିବ।