ପୁରୀ,ଏନ୍ଏନ୍ଏସ୍: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା। ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଶ୍ରୀଗୁଣ୍ଡିଚା ଦିନ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ କରାଯାଉଛି।
ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ସହରରେ ଲାଗିବ ବ୍ୟାପକ ସିସିଟିଭି। ସେହିପରି ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଜିର ଏହି ସମନ୍ୱୟ ବୈଠକରେ ଆଲୋଚନା ହୋଇଛି। ଚଳିତ ରଥଯାତ୍ରାରେ ନିୟୋଜିତ ହେବେ ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୧୦୦ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ।
ଆଜିର ଏହି ବୈଠକରେ ରଥକାଠ, କନା ଓ ଦଉଡ଼ି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ।