ନାବାଳିକାଙ୍କୁ ୨୨ ଦିନ ଦିଲ୍ଲୀରେ ଦୁଷ୍କର୍ମ : ଯୁବକ ଅଟକ

ଚନ୍ଦ୍ରଶେଖରପୁର,ଏନ୍ଏନ୍ଏସ୍: ଜଣେ କାର ଡ୍ରାଇଭର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିବା ପରେ ଦିଲ୍ଲୀ ନେଇ ୨୨ ଦିନ ପାଖରେ ରଖି ଦୁଷ୍କର୍ମ କରିବା ପରେ ନାବାଳିକାଙ୍କ ଘରେ ଆଣି ଛାଡିଦେବା ପୁନର୍ବାର ତାକୁ ଅପହରଣ କରିବା ସମୟରେ ପରିବାର ଲୋକ ତାକୁ କାବୁ କରି ଥାନାରେ ଦେବା ଭଳି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚୁଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୁଚନା ଅନୁଯାଇ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ହାଟବସ୍ତି ରେ ଜଣେ ୧୫ ବର୍ଷିଆ ନାବାଳିକା ତା’ର ପରିବାର ସହ ରହୁଥିଲେ । ତାଙ୍କ ବସ୍ତିପାଖରେ ନଖରା ଅଂଚଳର ସଞ୍ଜୟ କୁମାର ସାହୁ ଏକ କାର ଚଳାଉଥିଲେ । ସଞ୍ଜୟ ସେହି ସମୟରେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଭଲପାଇବା ଓ ପରେ ଗତ ପ୍ରାୟ ଏକ ମାସ ପୁର୍ବେ ତାକୁ କୌଶଳ କ୍ରମେ ଅପହରଣ କରି ଦିଲ୍ଲୀ ନେଇ ପଳାଇଥିଲେ । ସେଠାରେ ସେ ନାବାଳିକାକୁ ପ୍ରାୟ ୨୨ ଦିନ ଦୁଷ୍କର୍ମ କରିବା ପରେ ନିଜ ପାଖରେ ଅର୍ଥ ସରିଯିବାରୁ ନାବାଳିକାକୁ ଆଣି ତା ଘରେ ଛାଡି ଚାଲି ଯାଇଥିଲା । ପୁନର୍ବାର ମଙ୍ଗଳବାର ସଂଧ୍ୟା ସମୟରେ ସଞ୍ଜୟ ନାବାଳିକାଙ୍କ ଘରକୁ ଆସି ତାକୁ ଅପହରଣ କରିନେବାକୁ ଯାଉଥିବା ବେଳେ ପରିବାର ଲୋକ ତାକୁ କାବୁ କରି ଥାନା ଜିମା ଦେଇଥିଲେ । ପୁଲିସ ବୁଧବାର ନାବାଳିକାଙ୍କ ଡାକ୍ତରି ମାଇନା କରିବା ପରେ ସଞ୍ଜୟକୁ ଥାନାରେ ଅଟକ ରଖିଛି । ଗୁରୁବାର ଦିନ ତାକୁ ଗିରଫ କରାଯିବ ବୋଲି ଜଣା ପଡିଛି ।