କେବଳ ୧୫% କୋଭିଡ୍ ରୋଗୀଙ୍କୁ ହିଁ ଅମ୍ଳଜାନ ଆବଶ୍ୟକ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଜରୁରୀ ହୋଇପଡିଥିବାବେଳେ ଦେଶବ୍ୟାପୀ ଏହାର ଆବଶ୍ୟକତାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏକାଧିକ ରାଜ୍ୟରେ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଥିବାବେଳେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ନିମନ୍ତେ ବିଦେଶୀ ରାଷ୍ଟ୍ରର ମଧ୍ୟ ସହାୟତା ଲୋଡିଛନ୍ତି। ତେବେ ଏହି ପ୍ରସଙ୍ଗରେ ଏତେଟା ବିବ୍ରତ ନ ହେବାକୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ କହିଛନ୍ତି। ତାଙ୍କ ମତରେ କେବଳ ୧୦ରୁ ୧୫ ପ୍ରତିଶତ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନ ଓ ରେମ୍ଡେସିଭିର ଇଂଜେକସନର ଆବଶ୍ୟକତା ରହିଥିବା ସେ କହିଛନ୍ତି। ତେଣୁ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ ରୋଗୀ ଅମ୍ଳଜାନ କିମ୍ବା ରେମ୍ଡେସିଭିରକୁ ନେଇ ଏତେଟା ଚିନ୍ତିତ ନ ହେବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଜ୍ୱର, କାଶ, ଥଣ୍ଡା, ଗଳା ବ୍ୟଥା ଭଳି ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ ରୋଗୀ ବାମ୍ଫ ଓ ଯୋଗାଭ୍ୟାସ ବଳରେ ଚିକିତ୍ସିତ ହେବାକୁ ସେ ପରାମର୍ଶ ଦେଇଛନ୍ତି।