କର୍ଣ୍ଣାଟକରେ ୧୪ଦିନ ଲକଡାଉନ୍

ବେଙ୍ଗାଲୁରୁ, ଏଜେନ୍ସି: କର୍ଣ୍ଣାଟକରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ମଙ୍ଗଳବାର ଠାରୁ ୧୪ଦିନ ପାଇଁ ଲକଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ସୋମବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ରାତି ୯ଟାରୁ ରାଜ୍ୟରେ କର୍ଫ୍ୟୁ ଜାରି ହେବ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବାଗୁଡ଼ିକ ପାଇଁ ଅନୁମତି ମିଳିବ। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସାଧାରଣ ଯାନବାହାନ ଚଳାଚଳ ବନ୍ଦ ରଖାଯିବ। ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ସଟଡାଉନ୍ ଲାଗୁ ହେବ ବୋଳି ୟେଦିୟୁରାପ୍ପା କହିଛନ୍ତି। ଏହି ସମୟରେ ମାଲ୍ ପରିବହନକୁ ଛାଡ଼ିଦେଲେ ଆନ୍ତଃରାଜ୍ୟ ଯାନବାହନ ଚଳାଚଳ ବନ୍ଦ ରହିବ। ବାର୍ ଓ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲା ରହିଲେ ମଧ୍ୟ ଗ୍ରାହକମାନେ ସେଠାରେ ବସି ପାରିବେନାହିଁ, କିନ୍ତୁ ସାମଗ୍ରୀ ନେଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଛଅମାସ ପର୍ଯ୍ୟନ୍ତ କୌଣସି ନିର୍ବାଚନ କରାନଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନଙ୍କୁ ଅନୁରୋଧ କରାଯିବ। କିନ୍ତୁ ଏହି ସମୟରେ କୋଭିଡ୍ ଟିକାକରଣ ଜାରି ରହିବ। ଉଲ୍ଲେଖଯୋଗ୍ୟ, ଗତ ୫ଦିନ ହେଲା କର୍ଣ୍ଣାଟକରେ ସେମି-ଲକ୍ଡାଉନ୍ ବଳବତ୍ତର ରହିଛି। ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍, ବାର୍, କ୍ଲବ୍ଗୁଡ଼ିକରେ କାହାରିକୁ ଅନୁମତି ଦିଆଯାଉନାହିଁ। ରାଜଧାନୀ ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି। ଏହାଛଡ଼ା ଗତ ୧୯ତାରିଖରୁ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଜାରି ରହିଛି। କର୍ଣ୍ଣାଟକ ଓ ବେଙ୍ଗାଲୁରୁ ସହରରେ କୋଭିଡ୍ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରୁ ବୈଷୟିକ ପରାମର୍ଶଦାତା କମିଟିର କେତେକ ସଦସ୍ୟ ଦୁଇ ସପ୍ତାହ ପାଇଁ ରାଜ୍ୟରେ ଲକ୍ଡାଉନ୍ ଜାରି କରିବାକୁ ସରକାରଙ୍କୁ କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି, କର୍ଣ୍ଣାଟକରେ ଗତ ରବିବାର କରୋନାରେ ଆକ୍ରାନ୍ତ ହୋଇ ୧୪୩ଜଣଙ୍କ ମୃତ୍ୟୁ ଘଟିଥିଲା।