ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତ୍ତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ପରେ ଚର୍ଚ୍ଚାକୁ ଆସିଥିବା ସାଂସଦ ନବନୀତ କୌର ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଆଶ୍ୱସ୍ତି ମିଳିଛି । ଉଭୟଙ୍କୁ ସେସନ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ରାଜଦ୍ରୋହ ଓ ଅନ୍ୟ ଧାରାରେ ରାଣା ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉଭୟଙ୍କ ଜାମିନକୁ ଜୋରଦାର ବିରୋଧ କରାଯାଇଥିଲା । କିନ୍ତୁ ୫୦ ହଜାର ଟଙ୍କା ନିଜସ୍ୱ ମୁଚାଳିକା ଓ ମିଡିଆକୁ ଇଣ୍ଟରଭ୍ୟୁ ନଦେବା ଭଳି ୧୧ଟି ସର୍ତ୍ତ ସହ ଦୁହିଁଙ୍କୁ ଜାମିନ ମିଳିଛି । ଯଦି ଉକ୍ତ ସର୍ତ୍ତକୁ ପାଳନ କରାନଯାଏ ତେବେ ପୁଣିଥରେ ଜେଲ ଯିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପଢ଼ିବା ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ନିର୍ଦ୍ଦଳୀୟ ଲୋକସଭା ସଦସ୍ୟ ନବନୀତ କୌର ରାଣା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗତ ୨୩ ତାରିଖରେ ଗିରଫ କରାଯାଇଥିଲା । ଶନିବାର ଉଭୟ ପକ୍ଷର ଓକିଲ ଜାମିନ ଆବେଦନ ଉପରେ ନିଜ ଦଲିଲ ଦେଇଥିଲେ । ବିଶେଷ ନ୍ୟାୟଧୀଶ ଆରଏନ ରୋକଡେ ସୋମବାରକୁ ନିଜ ରାୟ ସୁରକ୍ଷିତ ରଖିଥିଲେ । ଆଉ ଆଜି ଜାମିନ ପ୍ରଦାନ କରିଛନ୍ତି ।