ଆରମ୍ଭ ହେଲା ଫୁଲବାଣୀର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ପଟୁଆରରେ ଦୁଲୁକିଲା ଫୁଲବାଣୀ ଜିଲ୍ଲାରାଜ୍ୟ By Nitidin Last updated May 3, 2022 Share ଫୁଲବାଣି,ଏନ୍ଏନ୍ଏସ୍: ଫୁଲବାଣୀର ପ୍ରସିଦ୍ଧ ଠାକୁରାଣି ଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଆଜି ଅକ୍ଷୟ ତୃତୀୟା ଅବସରରେ ସହରର ବିଭିନ୍ନ ପୀଠରୁ ଠାକୁରାଣୀ ମାନଙ୍କୁ ବରଣ କରି ଯାତ୍ରା ପଡିଆ ଠାରେ ନିର୍ମିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଛି। ଆଜି ସକାଳେ ଯାତ୍ରା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧି ସହ ମା ବ୍ରାହ୍ମଣିଦେବୀ, ମା ବ୍ୟାଘ୍ରଦେବୀ, ମା ବରାଳଦେବୀ ଓ ଗ୍ରାମଦେବୀଙ୍କ ମନ୍ଦିରକୁ ଯାଇ ଦେବୀଙ୍କୁ ବରଣ କରି ପଟୁଆରରେ ଯାତ୍ରା ପାଇଁ ନିମନ୍ତ୍ରଣ ଜଣାଇଥିଲେ। ପରେ ବାଜା ବାଜ୍ୟ ଓ ପଟୁଆର ସହ ଦେବୀ ମାନଙ୍କୁ ଅସ୍ଥାୟୀ ମନ୍ଦିରକୁ ଅଣା ଯାଇଥିଲା। ରାତିରେ ମା ନାରାୟଣୀଙ୍କୁ ତାଙ୍କ ମନ୍ଦିରରୁ ହଜାର ହଜାର ଭକ୍ତଙ୍କ ସମାଗମରେ ଏକ ବିରାଟ ପଟୁଆରରେ ଅଣାଯାଇଥିଲା। ନିର୍ଦ୍ଧାରିତ ସମୟରେ ହଜାର ହଭାର ଭକ୍ତମାନଙ୍କ ସମାଗମରେ ମା ନାରାୟଣୀଙ୍କୁ ଆଣିବା ପାଇଁ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରିବା ପରେ ପୁଣିଥରେ ଏକ ବିରାଟ ପଟୁଆରେ ମା ନାରାୟଣୀଙ୍କୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ବ୍ୟାପକ ପଟୁଆର ସହିତ ହଜାର ହଜାର ଭକ୍ତଙ୍କ ସାମଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା ସହିତ ଶହ ଶହ ସ୍ୱେଚ୍ଛାସେବୀ ମାନେ ଆଇନ ଶୃଙ୍ଖଳା ଓ ଅନ୍ୟ ବିଭିନ୍ନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଭିନ୍ନ ପ୍ରକାର ବାଜା ବାଜଣା ସହ ପଟୁଆରର ବ୍ୟବସ୍ତା ହୋଇଛି। ମା ନାରାୟଣି ଯାତ୍ରା ପଡିଆରେ ବିଳିମ୍ବି ରାତ୍ରରେ ପହଞ୍ଚିଥିଲେ। ୬ ତାରିଖ ଠାରୁ ପଞ୍ଚଦେବୀ ନଗର ପରିକ୍ରମା କରିବେ। ଏହି ଦ୍ୱିବାର୍ଷିକ ଯାତ୍ରା କରୋନା କଟକଣା କାରଣରୁ ଗତଥର ହୋଇ ପାରି ନଥିଲା। ଫଳରେ ଚଳିତ ଥର ଏହି ଯାତ୍ରାକୁ ଆଡମ୍ବର ସହ ପାଳନ ପାଇଁ ଯୋଜନା ରହିଛି। ଏଥିସହ ଏଥରକ ଯାତ୍ରାର ରୌପ୍ୟ ଜୟନ୍ତୀ ମଧ୍ୟ ପାଳିତ ହେଉଛି। ଆସନ୍ତା ମାସ ୧ ତାରିଖ ଯାଏଁ ଯାତ୍ରା ଚାଲିବ। ଆଜି ଯାତ୍ରା କମିଟି ଅଧ୍ୟକ୍ଷ ତଥା ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସହ କମିଟି ସଭାପତି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ କୁମାର ବେହେରା, ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଅର୍ଥ ସଂପାଦକ କାବୁଲା ସେନାପତି, ସାଂସ୍କୃତିକ ସଂପାଦକ ଭି.ଲୋକନାଥ ରାଜୁ, କୋଷାଧ୍ୟକ୍ଷ ରମେଶ ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରି ସଦସ୍ୟ ମାନେ ଉପସ୍ଥିତ ଥିଲେ। ରାତିର ମା ନାରାୟଣୀଙ୍କୁ ଆଣିବା ବେଳେ ଆୟୋଜିତ ପଟୁଆରରେ ବିଧାୟକ ଅଙ୍ଗଦ କହଁର, ପୌରାଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ତହସିଲ୍ଦାର ଦିନମଣି ନାୟକ, ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। Share