ପୁରୁଷ ବନ୍ଧ୍ୟାକରଣରେ ରାଜ୍ୟସ୍ତରରେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁରେଶ କୁମାର ମହାଙ୍କୁଡ଼ ଓ ଆଶାକର୍ମୀ ଅନସୂୟା ବଡ଼ିକା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱତନ୍ତ୍ର ସଚିବଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ସଂଘମିତ୍ରା ମହାପାତ୍ର ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁରେଶ କୁମାର ମହାଙ୍କୁଡ଼ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇଛନ୍ତି । ସଂଘମିତ୍ରା ମହାପାତ୍ର ଏହାର ଶ୍ରେୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌରଭ ମହାପାତ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପଯୁକ୍ତ ନେତୃତ୍ୱ ତଥା ସହଯୋଗ ଫଳରେ ଜିଲ୍ଲାର ଏତେ ବଡ଼ ସମ୍ମାନ ପାଇଁ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଧନ୍ୟବାଦ ଦେଇଥିଲେ ।