ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରଶିକ୍ଷଣ ଶିବିର

ରାମନାଗୁଡା,ଏନ୍ଏନ୍ଏସ୍ : ରାୟଗଡ଼ ଜିଲ୍ଲା ଗୁଣପୁର ସହକାରୀ ଉଦ୍ୟାନ ନିର୍ଦେଶକଙ୍କ ସୌଜନ୍ୟରେ ରାମନାଗୁଡା ଓ ଗୁଡାରି ବ୍ଲକ ର ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦିନିକିଆ ପନିପରିବା ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଉଦ୍ୟାନ ବିଭାଗ ଓ ମିଶନ ଶକ୍ତି ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଗୁଣପୁର ସହକାରୀ ଉଦ୍ୟାନ ନିର୍ଦେଶକ ପ୍ରଶାନ୍ତ ଖଟୁଆ ଗୋଷ୍ଠୀର ସଦସ୍ୟାଙ୍କୁ ଏଠାରେ ପ୍ରଶିକ୍ଷଣ ନେଇ ସଠିକ ଉପାୟ ଓ ଜ୍ଞାନକୌଶଳ ସହ ଚାଷକରି ସରକାରଙ୍କ ଏହି ଯୋଜନା କୁ ସଫଳ କରିବାକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର ବିନୋଦ ଜେନା, ରାମନାଗୁଡା ସହକାରୀ କୃଷି ଅଧିକାରୀ ସୁଜାତା ନିଶଙ୍କ, ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ବିଧାୟକଙ୍କ ଉପସ୍ଥିତରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବିହନ କିଟ୍ ଓ ପନିପରିବା ଚାଷ ସମ୍ବନ୍ଧୀୟ ବହି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ନିରୂପମା ବାଉରୀ ପରିଚାଳନା କରିଥିଲେ।