ଗ୍ରାମକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

କୋରୁକୋଣ୍ଡା, ଏନ୍ଏନ୍ଏସ୍: ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ। ଆଜି ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ମନ୍ତ୍ରିପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଗୋରୀ ମୁଦୁଲି(୫୨) ଦୀର୍ଘ ୬ ମାସ ଧରି ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ। ତେବେ ଗ୍ରାମବାସୀଙ୍କ ଧାନ ଚାଷ ଲାଗି ରହିଥିବାରୁ ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ବୃଦ୍ଧାଙ୍କର ଚିକିତ୍ସା କରିପାରୁନଥିଲେ। ବୃଦ୍ଧା ମା’ ଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ଆଜି ଏହି ଘଞ୍ଚ ଜଙ୍ଗଲ ଏବଂ ପଥୁରିଆ ରାସ୍ତାଦେଇ ଷ୍ଟ୍ରେଚର ମାଧ୍ୟମରେ ଡାକ୍ତରଖାନା ନେଇଥିଲେ। ପାହାଡ଼ ଉପରୁ ବୋହି ତଳେ ସାରିଆପାଲ୍ଲୀ ଗ୍ରାମରେ ଦୀର୍ଘ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରୋଗୀଙ୍କୁ ନେଇ ଅପେକ୍ଷା କରିବା ପରେ ଆମ୍ବୁଲାନ୍ସରେ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଗ୍ରାମକୁ ଭଲ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି।

ଏନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି। ତୁରନ୍ତ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ୱାର୍ଡ ମେମ୍ବର ଧନ ମୁଦୁଲି, ସହଦେବ ମୁଦୁଲି, ସୋମନାଥ ହନ୍ତାଳ, ନୀଳକଣ୍ଠ ଖରା, କମୁଲୁ ପୂଜାରୀ, ନନ୍ଦ ନାଙ୍ର୍ଘଡାଙ୍କ ସମେତ ଅନ୍ୟ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।