ଭାମିନି ନଦୀପଠାରୁ ବାଲି ଉତ୍ତୋଳନକୁ ବିରୋଧ କରି ମହିଳାଙ୍କ ଧାରଣା

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଭାମିନି ରାଜସ୍ୱ ସର୍କଲ ଭାମିନି ନଦୀପଠାରୁ ବାଲି ଉତ୍ତୋଳନକୁ ବିରୋଧ କରି ମହିଳାମାନେ ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଭାମିନି ନଦୀପଠାରୁ ବାଲିଉଠାଣ ହେଉଥିବାରୁ ନଦୀକୂଳିଆ ଗ୍ରାମବାସୀଙ୍କ ଜୀବନପ୍ରତି ବିପଦ ରହିଛି।  ଦିନରାତି ଅହରହ ବାଲି ଚାଲାଣ ହେଉଥିବା ବେଳେ ନଦୀବନ୍ଧ ଦୁର୍ବଳ ହେବାଫଳରେ ନଦୀଶଯ୍ୟାରେ ଗ୍ରାମ ଲୀନ ହେବା ନେଇ ଆଶଙ୍କା ଦେଖାଦେଇଛି। ନଦୀକୁ ମହିଳା ଗାଧୋଇବାକୁ ଯିବା ସମୟରେ ଗାଡ଼ି ଡ୍ରାଇଭରମାନେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି।

ଫଳରେ ଭାମିନି ଗ୍ରାମବାସୀ ବାଧ୍ୟ ହୋଇ ବାଲି ବୋଝୋଇ ଗାଡ଼ି ଗୁଡ଼ିକ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ଗୁଣୁପୁର ଏସଆଇ ରବୀନ୍ଦ୍ରନାଥ ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ମହିଳା ମାନଙ୍କ ସହ ବୁଝାସୁଝା କରିବା ପରେ ମହିଳା ମାନେ ଧାରଣାରୁ ହଟିବା ସହ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ।