ପୁଲିସ ଡିଜିଙ୍କ ମାଲକାନଗିରି ଜିଲ୍ଲା ଗସ୍ତ: ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ବିଏସଏଫ୍ କ୍ୟାମ୍ପ ଗସ୍ତକରି ବିଏସଏଫ୍ ଅଧିକାରୀଙ୍କ ସହ ମାଓ ମୁକାବିଲା ଉପରେ ଆଲୋଚନା କରିଥିଲେ। ଏହି ଅବସରରରେ ଗ୍ରାମବାସୀ ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ। ସେଠାରେ ନୂତନ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବାରୁ ଖୁସି ପ୍ରକଟ କରିବାସହ ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନବାଡିକେନ୍ଦ୍ର ଗୃହ ଶୀଘ୍ର କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ବରିଷ୍ଠ ପୁଲିସ ଓ ବିଏସଏଫ୍ର ବରିଷ୍ଠ ଅଧିକାରୀଙ୍କ ମାଓ ଦମନ ଓ ଗତିବିଧି ଉପରେ ସମୀକ୍ଷା କରିଛନ୍ତି।

ସରକାରଙ୍କ ବିଭିନ୍ନ ଯୋଜନା ସ୍ୱାଭିମାନ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସ୍ୱାଭିମାନ ଅଂଚଳରେ ଉନ୍ନୟନ କାର୍ଯ୍ୟରେ ମାଓବାଦୀମାନେ ବାଧା ସୃଷ୍ଟି କରୁଥିଲେ। ତେଣୁ ଗତ ଏକ ବର୍ଷ ଭିତରେ ମାଓ ମୁକାବିଲା ପାଇଁ ସୁରକ୍ଷାକର୍ମି ବୃଦ୍ଧି କରାଯାଇଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିକୁ ଶେଷ କରିଦେବାକୁ ଆମେ ବଦ୍ଧ ପରିକର। ଏଣୁ ମାଓବାଦୀମାନେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆହ୍ୱାନ ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକିଷ୍ଣନ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଆଇବିର ଯୁଗ୍ମ ନିର୍ଦ୍ଦେଶକ ଆରସୁବର୍ଣ୍ଣ, ବିଏସଏଫ୍, ଆଇଜି ଏମ ଏସ ଶର୍ମା, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ କେ.ଅହମ୍ମଦ, ମାଲକାନଗିରି ଏସ୍ପି ରିଷିକେଶ ଡି ଖିଲାରୀଙ୍କ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ।