ନୂଆଦିଲ୍ଲୀ: ରାଜ୍ୟସଭାରେ ଗତକାଲି ଯାହା ଘଟିଲା ତାହା ପୂର୍ବରୁ କେବେ ବି ହୋଇନଥିଲା। ବିପକ୍ଷ ଦଳର ସାଂସଦମାନେ କୃଷି ବିଧେୟକକୁ ବିରୋଧ କରିବା ଆଳରେ ବିଶୃଙ୍ଖଳ ଆଚରଣ କରି ଯେଉଁଭଳି ଭାବେ ନିୟମାବଳୀ ବହିକୁ ଫାଡ଼ିବା ପାଇଁ ଚେଷ୍ଟା କଲେ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟସଭା ବାଚସ୍ପତି ଭେଙ୍କେୟା ନାୟଡ଼ୁ ଗତକାଲି ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ଡେରେକ ଅ ବ୍ରାୟନ, ଡୋଲା ସେନ, ଆମ୍ ଆଦମି ପାର୍ଟିର ସଞ୍ଜୟ ସିଂ, କଂଗ୍ରେସର ରାଜୀବ ସାଟବ, ସୟଦ ନାସିର ହୁସେନ, ରିପୁନ ବୋରା, ସିପିଆଇର କେକେ ରାଗେଶ ଓ ଏଲ୍ମାଲାରାମ କରୀମ ରହିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳର ସାଂସଦମାନେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ଯାହାକୁ ବାଚସ୍ପତି ଭେଙ୍କେୟା ନାୟଡୁ ଖାରଜ କରି ଦେଇଛନ୍ତି।