ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ : ସଂସ୍କୃତି ମନ୍ତ୍ରୀକୁ ଚିଠି ଲେଖିଲେ ସାଂସଦ ନିରଞ୍ଜନ ବିଶି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତର ଦେଓଗାଁ ନିକଟରେ ଐତିହ୍ୟ ସମ୍ପନ୍ନ ଓ ସର୍ବ ପୁରାତନ ସପ୍ତର୍ସି ପୀଠ ଖପ୍ରାଡୁଙ୍ଗୁରି ରହିଛି । ଏହି ପବିତ୍ର ଖପ୍ରାଡୁଙ୍ଗୁରିର ଚତୁଃପାର୍ଶ୍ୱରେ ସବୁଜ ବନାନୀ, ହଜାର ପ୍ରଜାତିର ଔଷଧୀୟ ଗୁଳ୍ମ, ଅନେକ ପ୍ରଜାତିର ଜୀବଜନ୍ତୁ ଓ ସରୀସୃପ ଅଛନ୍ତି । ଏହି ପୀଠର ଏକ ଗୁମ୍ଫାରେ ପୁରାତନ ଦିନରୁ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ପୂଜା ପାଇ ଆସୁଛନ୍ତି । ପ୍ରତ୍ୟେକ ବର୍ଷ ଆଷାଢ଼ ମାସରେ ରଥଯାତ୍ରା ପାଳିତ ହୋଇ ଆସୁଥିବାବେଳେ ପ୍ରବଳ ଜନ ସମାଗମ ମଧ୍ୟ ଦେଖିବାକୁ ମିଳିଥାଏ । ପୀଠକୁ ବହୁ ବର୍ଷ ହେବ ଜଣେ ମଠାଧିସ ନିଜସ୍ୱ ଉଦ୍ୟମ ତଥା ଅଞ୍ଚଳ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ ପରିଚାଳନା କରି ଆସୁଛନ୍ତି । ସପ୍ତର୍ଷି ମଠ ତଥା ଖପ୍ରାଡୁଙ୍ଗୁରିର ସାମୁହିକ ବିକାଶ ଓ ପର୍ଯ୍ୟଟନ ମାନ୍ୟତା ପାଇବା ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେଲା ଦାବୀ କରି ଆସୁଥିଲେ ମଧ୍ୟ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନଥିବାରୁ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏହି ସ୍ଥାନକୁ ଆଜିଯାଏଁ କେହି ବିଧାୟକ, ମନ୍ତ୍ରୀ, ଜିଲ୍ଲା ପ୍ରଶାସନ, ସାଂସଦ ଆସି ନାହାନ୍ତି । ହେଲେ ନିକଟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରିଦର୍ଶନରେ ଆସି ସବୁ ଅଞ୍ଚଳ ବୁଲି ଦେଖିଥିଲେ । ଏହି ସମୟରେ ସପ୍ତର୍ଷି ମଠର ସାମୁହିକ ବିକାଶ ପାଇଁ ନିଜସ୍ୱ ସାଂସଦ ପାଣ୍ଠିରୁ ଅନୁଦାନ ଦେବାକୁ ମଧ୍ୟ ଘୋଷଣା କରିଥିଲେ । ଏଥିସହିତ ସାଂସଦ ମହୋଦୟ ଆନ୍ତରିକତା ଦେଖାଇ ଆଜି ଜିଲ୍ଲାପାଳ ବଲାଙ୍ଗୀରଙ୍କ ସହିତ ଆଲୋଚନା କରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ସପ୍ତର୍ଷି ମଠର ସାମୁହିକ ବିକାଶ ସହିତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ଏହି ଖପ୍ରାଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଲେ ଓ ସାମୁହିକ ବିକାଶ କଲେ ପର୍ଯ୍ୟଟକଙ୍କ ସୁଅ ଛୁଟିବ, ରାଜସ୍ୱ ବଢ଼ିବ ଓ ଗରିବ ଜନସାଧାରଣ ଦୋକାନ ବଜାର କରି ଗୁଜୁରାଣ ମେଣ୍ଟେଇବେ ବୋଲି ଶ୍ରୀ ବିଶି ଚିଠିରେ ଉଲ୍ଲେଖ କରିଛନ୍ତି ।