ନିର୍ଦ୍ଧାରିତ ସୂଚୀର ୪ ଦିନ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପୂର୍ବରୁ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଜି (ସୋମବାର) ଉଭୟ ଗୃହକୁ ମୁଲତବୀ ସହିତ ସାଇନଡାଏ ଘୋଷଣା କରାଯାଇଛି । ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଅଧିବେଶନକୁ ମୁଲତବୀ ରଖାଯାଇଛି । ଏ ସମ୍ପର୍କରେ ସରକାର ମଧ୍ୟ ବିରୋଧୀଙ୍କୁ ପୂର୍ବରୁ ଅବଗତ କରି ସାରିଥିଲେ ।

ପୂର୍ବରୁ ଚଳିତ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ଆସନ୍ତାକାଲି ଓ ପରଦିନ (ଅଗଷ୍ଟ ୧୦ ଓ ୧୧) ରେ ମହରମ ଓ ରକ୍ଷା ବନ୍ଧନ ପାଇଁ ଛୁଟି ଘୋଷଣା କରାଯାଇଛି । ତେଣୁ ଆଜି ଶେଷ କାର୍ଯ୍ୟଦିବସ ଭାବେ ସଂସଦ ଚାଲିଥିବାବେଳେ ଅଧିବେଶନ ମଧ୍ୟ ବିଧିବଦ୍ଧ ଭାବେ ଶେଷ ହୋଇଛି ।

ଚଳିତ ଅଧିବେଶନ ଅବଧି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଶେଷ ହୋଇଛି । ଏହି ଅଧିବେଶନରେ ଶେଷ ଥର ପାଇଁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହୁତ କରିବା ସହ ସମ୍ବୋଧିତ ମଧ୍ୟ କରିଥିଲେ । ଆଜି ଶେଷ କାର୍ଯ୍ୟଦିବସରେ ଉଚ୍ଚ ସଦନରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ମଧ୍ୟ ପାରିତ ହୋଇଛି ।