ବଡାମ୍ବିଳା ପଞ୍ଚାୟତର ୨ଟି ସଙ୍ଗରୋଧ କେନ୍ଦ୍ରରେ ରଜ ପାଳନ ଜିଲ୍ଲା By Nitidin On Jun 14, 2020 Share ଆଳି,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଫିକା ପଡିଯାଇଛି ଓଡ଼ିଆଙ୍କ ଗଣପର୍ବ ରଜ। ନିଜ ନିଜ ଘରେ ରହି ରଜ ପାଳନ କରିବାକୁ ସରକାର ନିବେଦନ କରିଥିବା ବେଳେ ଆଳି ଅଞ୍ଚଳରେ ରଜ ପାଳନ ସମ୍ପୂର୍ଣ ଭାବେ ମଳିନ ପଡିଯାଇଛି। ଏନେଇ ଲୋକମାନେ ଘରେ ରହି ଏହାକୁ ପରିବାର ସହିତ ପାଳନ କରୁଥିବାର ଦେଖିବାକୁ ମିଳିଛି। କରୋନା ମହାମାରୀ ସମୟରେ ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତର ୨ଟି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କୁ ଟିକେ ଖୁସି କରାଇବା ନିମନ୍ତେ ପଞ୍ଚାୟତର ସରପଞ୍ଚ ଭରତ ଚରଣ ସେଠୀ ଓ ସମାଜସେବୀ ପ୍ରଦ୍ୟୁମ୍ନ ଦାଶ ଆୟୋଜିତ କରିଥିଲେ ରଜ ଉତ୍ସବ। ରବିବାର ସକାଳେ ବଡାମ୍ବିଳା ପଞ୍ଚାୟତର ବେତ୍ତା ପ୍ରାଥମିକ ବିଦ୍ୟାଳୟ ଓ ନୁଆଗାଁ ସିନିୟର ବେସିକ ସ୍କୁଲରେ ରହୁଥିବା ପ୍ରବାସୀଙ୍କ ନିକଟରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ ପହଞ୍ଚି ସେମାନଙ୍କୁ ରଜର ଶୁଭେଛା ଜଣାଇଥିଲେ। ଏହାପରେ ଶ୍ରୀମତୀ ଦାଶ ମହିଳାମାନଙ୍କୁ ନୂଆ ଶାଢ଼ୀ, ଶଙ୍ଖା ସିନ୍ଦୁର ଅଳତା ଆଦି ପ୍ରଦାନ କରିଥିବା ବେଳେ ପୁରୁଷ ଓ ଶିଶୁଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ। ବସ୍ତ୍ର ପ୍ରଦାନ ପରେ ସେମାନଙ୍କୁ ରଜ ଉପଲକ୍ଷେ ଫଳ ଭାର ପ୍ରଦାନ କରିବା ସହିତ ମଣ୍ଡା, ଆରିସା ଭଳି ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଥିଲା। ପଞ୍ଚାୟତ ପକ୍ଷରୁ ପ୍ରବାସୀମାନଙ୍କ ନିମନ୍ତେ ଏଭଳି ଆୟୋଜନକୁ ପ୍ରବାସୀମାନେ ଭୁରି ଭୁରି ପ୍ରଶଂସା କରିଥିଲେ। Share