ନୂଆଦିଲ୍ଲୀ: ଦେଶ ଗତକାଲି ତା’ର ସବୁଠୁ ବଡ଼ ସୈନ୍ୟ ଅଫିସରଙ୍କୁ ହରାଇ ଦେଇଛି। ତାମିଲନାଡ଼ୁର କୁନ୍ନୁରରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ଜଣ ପ୍ରାଣ ହରାଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ବିବୃତି ରଖିଛନ୍ତି।
ରାଜନାଥ ସିଂହ କହିଛନ୍ତି ଯେ, ଡିସେମ୍ବର ୮ରେ ଜେନେରାଲ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ଅଫିସରଙ୍କ ଦୁଃଖଦ ମୃତ୍ୟୁ ସମ୍ବନ୍ଧରେ ସୂଚନା ଦେବା ପାଇଁ ଆପଣ ସମସ୍ତଙ୍କ ସମ୍ମୁଖରେ ଉପସ୍ଥିତ ରହିଛି। ସିଡିଏସ ଜେନେରାଲ ବିପିନ ରାୱତ ଡିଫେନ୍ସ ସର୍ଭିସଯୁକ୍ତ ବେଲିଙ୍ଗଟନ୍ ଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ସେଠାକୁ ଗସ୍ତ କରିଥିଲେ। ବାୟୁସେନାର ହେଲିକପ୍ଟର ବୁଧବାର ୧୧ଟା ୪୮ ମିନିଟରେ ସୁଲୁର ଏୟାରବେସରୁ ଉଡ଼ାଣ ଭରିଥିଲା। ଆଉ ଏହାକୁ ୧୨ଟା ୧୫ ମିନିଟରେ ଲ୍ୟାଣ୍ଡ କରିବାର ଥିଲା। ସୁଲୁର ଏୟାରବେସର ଏୟାର ଟ୍ରାଫିକ କଣ୍ଟ୍ରୋଲ ପାଖାପାଖି ୧୨ଟା ୮ ମିନିଟରେ ହଲିକପ୍ଟରରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା। ପରେ କୁନ୍ନୁରର ସ୍ଥାନୀୟ ବାସିନ୍ଦା ଜଙ୍ଗଲରେ ନିଆଁ ଲାଗିଯାଇଥିବା ଦେଖିଥିଲେ। ଆଉ ପାଖକୁ ଯିବା ବେଳକୁ ମିଲିଟ୍ରି ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଥିଲା। ହେଲିକପ୍ଟରରୁ ଯେତିକି ବି ଲୋକଙ୍କୁ କଢ଼ା ଯାଇଥିଲା ସମସ୍ତଙ୍କୁ ବେଲିଙ୍ଗଟନ୍ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ସମସ୍ତ ପ୍ରାର୍ଥୀବ ଶରୀରକୁ ଆଜି ସଂନ୍ଧ୍ୟାରେ ଦିଲ୍ଲୀ ଅଣାଯିବ। ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ଏବଂ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ଅଫିସରଙ୍କୁ ସୈନ୍ୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ। ଘଟଣା ସମ୍ବନ୍ଧରେ ସୂଚନା ମିଳିବା ପରେ ବାୟୁସେନା ମୁଖ୍ୟ ବୀଆରଏସ୍ ଚୌଧୁରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ସେ ଘଟଣାସ୍ଥଳ ଓ ବେଲିଙ୍ଗଟନ୍ ହସ୍ପିଟାଲ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଘଟଣାର ଯାଞ୍ଚ ଏୟାର ମାର୍ଶଲ ମାନବିନ୍ଦର ସିଂହ କରିବେ। ଯାଞ୍ଚ ଟିମ୍ କାଲି କୁନ୍ନୁର ପହଂଚି ଯାଞ୍ଚ ଆରମ୍ଭ କରିଦେବ।