ଦିନକୁ ୧୨ ଘଣ୍ଟା ଦଳ ପାଇଁ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଲେ ରାଜନାଥ ସିଂ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନବରଙ୍ଗପୁରରେ ପହଞ୍ଚି ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓଙ୍କ ସହ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରର ୨ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ରାଜନାଥ କଂଗ୍ରେସ ଉପରେ ବର୍ଷିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପଦ ମଧ୍ୟ କହି ନଥିଲେ । ରାଜ୍ୟ ସରକାରଙ୍କୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼େଇ ଦେଇଥିଲେ ।

ରାଜନାଥ ସିଂହ କହିଛନ୍ତି ଯେ, ଓଡ଼ିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାର ସମୟରେ ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥିଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓକାର୍ଯ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡ଼ା ଜବାବ ଦିଆଯାଇଛି ।

ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହାସହ ଓଡ଼ିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର ବୋଲି କହିଥିଲେ । ଓଡ଼ିଶାର ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନବରଙ୍ଗପୁରରୁ ଅଭିଭାଷଣ ଦେଇ କହିଛନ୍ତି । ଏହାସହ କର୍ମୀଙ୍କୁ ଦଳ ପାଇଁ ୨୪ ଘଣ୍ଟାରୁ ୧୨ ଘଣ୍ଟା ଦେବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି ଯିଏ ଯାହା କହେ ତାହା କରିକି ଦେଖାଏ । ପ୍ରତିଶ୍ରୁତି ମୁତାବକ ଧାରା ୩୭୦ ଓ ୩ ତଲାକ୍ ଉଚ୍ଛେଦ ହୋଇଛି । ୯ ବର୍ଷ ଭିତରେ ଦେଶରେ ଗରିବୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ତେବେ ଓଡ଼ିଶା ସହ କେନ୍ଦ୍ର ସରକାର କେବେ ବି ଭେଦଭାବ କରିନାହାନ୍ତି । ଓଡ଼ିଶାରେ ପୂର୍ବ ତୁଳନାରେ ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ରାଜନାଥ କହିଛନ୍ତି ।