ସାହାରପଡାରେ ଗଡ଼ିଲା ରାଜସ୍ୱ ରଥ; ଗାଁ ଗାଁ ବୁଲି ଲୋକଙ୍କୁ ଯୋଗାଇବ ସେବା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ପକ୍ଷରୁ ମଙ୍ଗଳବାର ରାଜସ୍ୱ ରଥ ଗଡ଼ିଛି। ନିର୍ଦ୍ଧାରିତ ସମୟ ଭିତରେ ଲୋକେ ବିଭାଗର ସମସ୍ତ ପ୍ରକାର ସେବା ପାଇପାରିବେ। ରାଜ୍ୟରେ କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜନସାଧାରଣଙ୍କ ସୁରକ୍ଷା ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ପରିଚାଳନା ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜସ୍ୱ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି।

କୋଭିଡ ୧୯ ମହାମାରୀ ସମୟରେ ନାଗରିକମାନଙ୍କୁ ନିରବଚ୍ଛିନ୍ନ ଭାବରେ ରାଜସ୍ୱ ସେବା ଯୋଗାଇଦେବା ପାଇଁ ସାହାରପଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ସେବା ଆରମ୍ଭ ହୋଇଛି। ସାହାରପଡା ତହସିଲ ପକ୍ଷରୁ ତାଲା ବନ୍ଦ ସମୟରେ ଲୋକମାନେ ଘରେ ବସି ରାଜସ୍ୱ ସେବା କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେଇ ତହସିଲଦାର ବାବାଜି ଚରଣ ସିଂଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି ରଥ ତହସିଲର ବିଭିନ୍ନ ଆରଆଇ ସର୍କଲ ଓ ପ୍ରତି ଗ୍ରାମକୁ ପରିକ୍ରମା କରି ଲୋକମାନଙ୍କୁ ନିଜର ଆୟ ପ୍ରମାଣପତ୍ର, ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରିବ। ଆଜି ପ୍ରଥମ ଦିନରେ ସାହାରପଡା ଓ ତେଣ୍ଡେରା ଆରଆଇ ସର୍କଲରେ ୧୫ ଜଣଙ୍କୁ ଜମିପଟ୍ଟା, ବିବିଧ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାହାରପଡା ତହସିଲଦାର ବାବାଜି ଚରଣ ସିଂ, ଅତିରିକ୍ତ ତହସିଲଦାର ତ୍ରିନାଥ ଦାସ, ସାହାରପଡା ରାଜସ୍ୱ ନିରୀକ୍ଷକ ଶରତ କୁମାର ନାଏକ, ତେଣ୍ଡେରା ରାଜସ୍ୱ ନିରୀକ୍ଷକ ରଞ୍ଜିତା ନାଏକ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ।