ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କଲେ ଗେହଲଟ

ନୂଆଦିଲ୍ଲୀ: ସଚ୍ଚିନ ପାଇଲଟଙ୍କ ବିରୋଧ ମନୋଭାବ ଯୋଗୁ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ସରକାର ଉପରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ଏବେ ଟଳିଯାଇଛି। ଗେହଲଟ ନିଜ ସରକାରୀ ବାସ ଭବନରେ ବିଧାୟକ ଦଳର ବୈଠକ ଡାକି କ୍ଷମତା ପ୍ରଦର୍ଶନ କରିଛନ୍ତି। ଉକ୍ତ ବୈଠକରେ ୧୦୬ ଜଣ ବିଧାୟକ ସାମିଲ ହୋଇ ଗେହଲଟଙ୍କୁ ସମର୍ଥନ ଜଣାଇଛନ୍ତି। ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବହୁମତ ପାଇଁ ୧୦୧ ବିଧାୟକଙ୍କ ଆବଶ୍ୟକତା ଥିବାବେଳେ ଗେହଲଟଙ୍କ ପାଖରେ ଏବେ ପୂର୍ଣ୍ଣ ବହୁମତ ରହିଛି। ଏହି ଅବସରରେ ଗଣମାଧ୍ୟମକୁ ଡାକି ବିଧାୟକଙ୍କ ମୁଣ୍ଡ ଗଣତି କରିବା ସହ ଗେହଲଟ ଭିକ୍ଟ୍ରି ଚିହ୍ନ ମଧ୍ୟ ଦେଖାଇଥିଲେ। ଅନ୍ୟପଟେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଉକ୍ତ ବୈଠକରେ ଯୋଗ ଦେବାଲାଗି ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ଓ ତାଙ୍କ ସହଯୋଗୀଙ୍କୁ ଡାକିଥିଲେ ମଧ୍ୟ ସେମାନେ ଆସିନଥିଲେ। ସେଥିପାଇଁ ପାର୍ଟି ତରଫରୁ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ସଚ୍ଚିନଙ୍କୁ ବୁଝାଇବା ପାଇଁ ରାହୁଲ ଗାନ୍ଧୀ ବହୁ ଚେଷ୍ଟା ଚଲାଇଥିଲେ। ଦୁଇଦିନ ପୂର୍ବରୁ ଦୁହିିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ରାହୁଲଙ୍କ ସବୁ ଚେଷ୍ଟା ବିଫଳ ହୋଇଛି। ସେଥିପାଇଁ ଏବେ ପ୍ରିୟଙ୍କା ଗାନ୍ଧୀ କମାଣ୍ଡ ସମ୍ଭାଳି ଏହି ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପଟେ ସଚ୍ଚିନ ବିଜେପିରେ ଯୋଗଦେବାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲେ ମଧ୍ୟ ବିଜେପିରେ ଯୋଗଦେବେ ନାହିଁ ବୋଲି ସଚ୍ଚିନ ସ୍ପଷ୍ଟ କରି ଦେଇଛନ୍ତି।