ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀର ବଳପୂର୍ବକ ଋଣ ଆଦାୟକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼,ଏନ୍ଏନ୍ଏସ୍: କରୋନା କାଳରେ ବଳପୂର୍ବକ ଋଣ ଆଦାୟ କରୁଥିବା ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଦେବଗଡ଼ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇାଛି। ଦଳର ସଭାନେତ୍ରୀ ମଞ୍ଜୁଲତା ନାୟକଙ୍କ ନେତୃତ୍ୱରେ ବହୁସଂଖ୍ୟକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିିତିରେ ଡେପୁଟୀକଲେକ୍ଟର ସୁଶାନ୍ତ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ଏକାଧିକ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ଅଧିକ ସୁଧ ହାରରେ ଋଣ ଦେଇ ସେମାନଙ୍କ ବ୍ୟବସାୟ ଚଳାଇଥିବା ଅଭିଯୋଗ କରିଛନ୍ତି। ପରିବାର ପାଳିବା ପାଇଁ  ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀମାନଙ୍କଠାରୁ ଅଧିକ ସୁଧ ହାରରେ ଋଣ ନେଇ ରୋଜଗାରର ପନ୍ଥା ଖୋଜୁଥିବା ଲୋକେ ଲକଡାଉନ ଯୋଗୁ ଋଣ ଅର୍ଥ ଫେରାଇବାରେ ଅସମର୍ଥ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଗାଁ ଗାଁ ବୁଲି ମହିଳାଙ୍କୁ  ନାନା ଧମକ ଚମକ ଦେଇ ଋଣ ପରିଶୋଧ କରିବାକୁ ବାଧ୍ୟ କରୁଛନ୍ତି। ଏଣୁ ଜିଲ୍ଲା ମହିଳା କଂଗ୍ରେସ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ବଳପୂର୍ବକ ଋଣ ଆଦାୟକୁ ବିରୋଧ କରିବା ସହ ମାଇକ୍ରୋଫାଇନାନ୍ସ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ଋଣ ପରିଶୋଧ ପାଇଁ ସମୟ ସୀମାକୁ ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ଏଥିସହିତ ଅତ୍ୟନ୍ତ ଗରିବ ପରିବାରକୁ ଚିହ୍ନଟ କରି ସେମାନଙ୍କର ଋଣ ଛାଡ଼ କରିବା ଏବଂ କରୋନା କାଳରେ ବଳପୂର୍ବକ ଋଣ ଅସୁଲି କରୁଥିବା ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଉଲ୍ଲେଖ କରିିଥିବା ଜଣାପଡ଼ିଛି।