୯ ପର୍ଯ୍ୟନ୍ତ ରାଜ୍ୟରେ ହେବ ଝିପିଝିପି ବର୍ଷା, ବର୍ଷା ପରେ ଲେଉଟିବ ଶୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପି ଝିିପି ବର୍ଷା ଜାରି ରହିଥିଲା। ଦିନବେଳା ତାପମାତ୍ରାରେ ହ୍ରାସ ଘଟିଥିବା ଯୋଗୁଁ ଥଣ୍ଡା ବୃଦ୍ଧି ପାଇଛି। ଏଭଳି ପାଗ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ବେଳେ ଗୁରୁବାର କେନ୍ଦ୍ର ପକ୍ଷରୁ ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେବା ସହ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସାଙ୍ଗକୁ ଘନକୁହୁଡ଼ି ହେବ ବୋଲି ସୂଚନା ମିଳିଛି। ବର୍ଷାର ପରିମାଣ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହାସହିତ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ଘଡ଼ିଘଡ଼ିର ମଧ୍ୟ ଆଶଙ୍କା ରହିଛି। ତେଣୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତ ଯେ ବର୍ତ୍ତମାନ ଯେଉଁ ପାଗ ରହିଛି ତାହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ଅଧିକ ଥିବା ବେଳେ କୋହଲା ପାଗ ମଧ୍ୟ ବଢ଼ିବ। ଗୁରୁବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅପେକ୍ଷାକୃତ ଅଧିକ ରହିବ। ବିଶେଷ କରି ଗୋପାଳପୁରଠାରୁ କେନ୍ଦ୍ରାପଡ଼ା ମଧ୍ୟରେ ଅଧିକ ବର୍ଷା ହେବ। ବୁଧବାର ଅପେକ୍ଷା ଗୁରୁବାର ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଥିବା ବେଳେ ଶୁକ୍ରବାର ଦିନ ବର୍ଷା ଆହୁରି ବୃଦ୍ଧି ପାଇବ। ଶନିବାର ସ୍ଥିତି ସମାନ ରହିବ ବୋଲି ଆଶଙ୍କା କରାଯାଇଥିବା ବେଳେ ୯ ତାରିଖରେ ଝିପିଝିପି ବର୍ଷା ହୋଇପାରେ। ତେବେ ଏହି ୪ ଦିନରେ ପୁରୀ, ଭୁବନେଶ୍ୱର ଓ କଟକରେ ସମୁଦାୟ ବର୍ଷାର ପରିମାଣ ୫୦ ମଲିମିଟରରୁ ଅଧିକ ହୋଇପାରେ। ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ କମ ସମ୍ଭାବନା ରହିଛି। ୭ ଓ ୮ ତାରିଖରେ କୋହାଲ ପାଗ ବଢ଼ିବା ସହିତ ପଶ୍ଚିମ ଓଡ଼ିଶାରେ ୯ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ଏହି ସମୟରେ ସାରା ରାଜ୍ୟରେ ଦିନର ତାପମାତ୍ରା କମିବା ସହିତ କେତେକ ସ୍ଥାନରେ ବିଶେଷ ଭାବେ ତାପମାତ୍ରା ହ୍ରାସ ପାଇ ୧୬ ଡିଗ୍ରୀ ହୋଇପାରେ। ଫଳରେ ଦିନବେଳା ପ୍ରବଳ ଥଣ୍ଡା ଅନୁଭୂତ ହେବ।

ଏହାସାଙ୍ଗକୁ ୯ ତାରିଖ ବେଳକୁ ଉଭୟ ଦିନ ଓ ରାତିର ତାପମାତ୍ରା କମି ପୁଣି ରାଜ୍ୟକୁ ଥଣ୍ଡା ଲେଉଟିବ। ସେହିପରି ୮ ତାରିଖରୁ କୁହୁଡ଼ିର ପରିମାଣ ମଧ୍ୟ ବୃଦ୍ଧି ପାଇ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ ବୋଲି ପ୍ରଫେସର ପଶୁପାଳକ ପୂର୍ବନୂମାନ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ ୨୫.୭ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୨୨.୮, ବଲାଙ୍ଗିରରେ ୧୧.୪ ଓ ଅନୁଗୁଳ ଜିଲ୍ଲାରେ ୧୦ ମିମି ବର୍ଷା ହୋଇଛି।