ବର୍ଷା ଅଭାବ: ତଳି ବଞ୍ଚାଇବାକୁ ଚାଷୀ ପାଇଁ ବାଲଟି ଓ ମଗ ସାଜିଛି ସାହାରା

ଦେବଗଡ଼,ଏନ୍ଏନ୍ଏସ୍: କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନୀର୍ଭରଶୀଳ। ମାତ୍ର ଚଳିତ ବର୍ଷ ରାଜ୍ୟରେ ପାଣିପାଗ ପରିବର୍ତ୍ତନ ଫଳରେ ବର୍ଷା ଅଭାବ ଦେଖା ଦେଇଛି। କୃଷି କାର୍ଯ୍ୟ ପ୍ରଭାବିତ ହେବା ସହ ଚାଷୀର ପରିଶ୍ରମ ଅନେକାଂଶରେ ଫଳପ୍ରସୁ ହୋଇନାହିଁ। ଫଳରେ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଚାଷୀ ନାନା ଆଶଙ୍କା ଦେଇ ଗତି କରୁଛି। ଏହିକ୍ରମରେ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଂସର, ସଢୋ, କେନ୍ଦେଇଜୁରୀ, ଦୁଧିଆନାଳୀ, ଢୋଲପଡ଼ା ଓ ଝରାଗୋଗୁଆ ପଞ୍ଚାୟତର ଶତାଧିକ ଗ୍ରାମରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେବା ସହ ଅନେକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ବେଳେ ଆଉ କେତେକ ସ୍ଥାନରେ ରୁଆ କାର୍ଯ୍ୟ ମଧ୍ୟ ସରିପାରି ନାହିଁ। ଚାଷ ଜମିରେ ପାଣି ଅଭାବ ଯୋଗୁଁ ଧାନ ତଳି ମରିବାକୁ ବସିଲାଣି। ଏହି କ୍ଷେତ୍ରରେ ଚାଷୀ ଉକ୍ତ ତଳିକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି।

ବାଲଟି ଓ ମଗ ସାହଯ୍ୟରେ ପାଣି ବୋହି ଆଣି ବିଲରେ ଛିଞ୍ଚୁଥିବା ଦେଖିବାକୁ ମିଳିଛି। ସେହିପରି ଧାନ ତଳି ମୂଳରେ ପାଣି ଛିଞ୍ଚି ସେଗୁଡିକୁ ଶୁଖିଲା ଜମିରେ ବସି ଉପାଡୁଥିବା ଦେଖିବାକୁ ମିଳିଛି। ଯେଉଁ ସବୁ ଜମିରେ ରୁଆ କାର୍ଯ୍ୟ ସରିଥିଲା ବର୍ଷା ଅଭାବ ଯୋଗୁଁ ସେହିସବୁ ଚାଷ ଜମି ମାଟି ଫାଟି ଆଁ କରିଥିବା ବେଳେ କେତେକ ଚାଷୀ ପାଣି ପମ୍ପ ସାହାଯ୍ୟରେ ଚାଷ ଜମିରେ ପାଣି ମଡାଇ ଧାନ ତଳି ଗୁଡିକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରୁଆ କାର୍ଯ୍ୟ ସାରି ନଥିବା ଚାଷୀ ପାଣି ପମ୍ପ ସାହାଯ୍ୟରେ ଚାଷ ଜମିକୁ କାଦୁଅ କରି ବଞ୍ଚିଥିବା ତଳି ଗୁଡିକୁ ରୋପଣ କରିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଅଞ୍ଚଳ ଗୁଡିକରେ ବର୍ଷା ନହେଲେ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାଳକୃଷ୍ଣ ଗୌଡ଼ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଚଳିତ ଖରିଫରେ ତିଲେଇବଣୀ ବ୍ଲକ ଅଞ୍ଚଳର ୨୪୦ରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ପାଣି ଅଭାବରୁ ଚାଷ କାର୍ଯ୍ୟ କରାଯାଇ ପାରିନଥିବା ପ୍ରକାଶ କରିଛନ୍ତି।

ଅଗଷ୍ଟ ମାସରେ ତିଲେଇବଣୀ ବ୍ଲକରେ ସାମନ୍ୟ ବର୍ଷାର ପରିମାଣ ୪୪୩ ଏମଏମ ରହିଥିବା ବେଳେ ଚଳିତ ମାସରେ ଏହା ଆଜି ପର୍ଯ୍ୟନ୍ତ ମାତ୍ର ୧୧୨ ଏମଏମ ରହିଛି। ଫଳରେ ୭୫ ପ୍ରତିଶତ କମ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତିଲେଇବଣୀ ବ୍ଲକର ସଢୋ, କଂସର, ଝରାଗୋଗୁଆ, ଗଣ୍ଡମ, ଡିମିରିକୁଦା, ଲଇମୁରା, ପାରପୋଷି ଆଦି ୮ଟି ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଥିବା ବେଳେ ରିଆମାଳ ବ୍ଲକର ବୁଡିଦୋ, କରଲଗା ଓ ବୁଢାପାଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପରିସ୍ଥିତି ସଙ୍ଗୀନ ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଗୌଡ ସ୍ୱୀକାର କରିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଅଞ୍ଚଳରେ ବର୍ଷା ନ ହେଲେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଜିଲ୍ଲା କୃଷି ବିଭାଗ ମଧ୍ୟ ପୂର୍ବାନୁମାନ କରିଛି।