ବିଜୁଳି ବିଲ ଜମା କଲେନି ବୋଲି ବିଏସଏନଏଲର ସାଂଯୋଗ ବିଚ୍ଛିନ୍ନ କଲା ବିଜୁଳି ବିଭାଗ, ଜିଲ୍ଲାରେ ବିଏସଏନଏଲ ସେବା ଠପ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବିଏସଏନଏଲ କାର୍ଯ୍ୟାଳୟ ପକ୍ଷରୁ ବକେୟା ବିଦ୍ୟୁତ ବିଲ ପୈଠ କରିନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କଟାଯାଇଛି। ଏନେଇ ଗତକାଲି ଠାରୁ ଦେବଗଡ଼ ଜିଲ୍ଲା ସାରା ବିଏସଏନଏଲ ସେବା ସମ୍ପୂର୍ଣ୍ଣ ଠପ ହୋଇପଡିଛି। ବିଏସଏନଏଲ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ବିଏସଏନଏଲ କାର୍ଯ୍ୟାଳୟର ୯ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ରହିଛି। ଫଳରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡିଶା ଡିସଟ୍ରିବ୍ୟୁସନ ଲିମିଟେଡ଼ ପକ୍ଷରୁ ଗତକାଲି ସକାଳୁ ବିଏସଏନଏଲର ବିଦ୍ୟୁତ ସାଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏହାର ପ୍ରଭାବରେ ଜିଲ୍ଲାର ବ୍ୟଙ୍କିଂ ସେବା ଠାରୁ ଧରି ସମସ୍ତ ଅନଲାଇନ ସେବା ଠପ ହୋଇଯାଇଛି।

ଗତକାଲି ରାତିରେ ବିଭାଗ ପକ୍ଷରୁ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଜମା କରିବା ପରେ ବିଦ୍ୟୁତ ସଂଯୋଗ କରାଯାଇଥିଲେ ମଧ୍ୟ ବିଏସଏନଏଲର ଡିସ୍ଟ୍ରିବ୍ୟୁସନ ସିଷ୍ଟମ ଖରାପ ହୋଇଯିବା କାରଣରୁ ଏଯାଏଁ ବିଏସଏନଏଲ ସେବା ଆରମ୍ଭ ହୋଇପାରି ନାହିଁ। ବିଏସଏନଏଲର ଏସଡ଼ିଓ କଲ୍ୟାଣ କୁମାର ପଣ୍ଡାଙ୍କ ମତାମତ ନେବାରୁ ବିଭାଗର ବକେୟା ବିଲ ଥିଲା। କିନ୍ତୁ ବିନା ନୋଟିସରେ ଗତକାଲି ବିଦ୍ୟୁତ ବିଭାଗ ହଠାତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାରୁ ବିଏସଏନଏଲ ସେବା ଠପ ହୋଇଯାଇଥିବା କହିଛନ୍ତି।

ବିଲ ଜମା କରିବା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଟାଟା ପାୱାର ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ବିଭାଗ ଏହାକୁ ଗ୍ରହଣ ନକରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ଟାଟା ପାୱାର କମ୍ପାନୀ କର୍ତ୍ତୃପକ୍ଷଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ। ଟାଟା ପାୱାର ଏଭଳି କରି ଜିଲ୍ଲାବାସୀଙ୍କୁ ପରୋକ୍ଷରେ ବିଦ୍ୟୁତ ବିଲ ପୈଠ ନକଲେ ଏଭଳି ପରିସ୍ଥିତି ଭୋଗିବାକୁ ପ୍ରସ୍ତୁତ ରହିବାର ଚେତାବନୀ ଦେଇଥିବା ଜନସାଧାରଣ ମତବ୍ୟକ୍ତ କରିଛନ୍ତି।