ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଉତ୍ତର ତାମିଲନାଡୁ ଉପକୂଳରେ ଗୁରୁବାର ଏହା ଅବପାତର ରୂପ ନେଇଥିବାବେଳେ ଚେନ୍ନାଇଠୁ ୩୧୦ କିମି ଦୂରରେ ରହିଛି। ଶୁକ୍ରବାର ସକାଳ ସୁଦ୍ଧା ଏହା ଚେନ୍ନାଇରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଫଳରେ ଗୁରୁବାରଠାରୁ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବୃଦ୍ଧିପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି। ସୂଚନା ମୁତାବକ, ଗୁରୁବାରଠାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ। ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ୍ଠାରୁ ଅଧିକ ରହିବା ସମ୍ଭାବନା ଥିବାବେଳେ ବାକି କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ବିକ୍ଷିପ୍ତ ବର୍ଷା ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି।
୨୦ରେ ବର୍ଷା ପରିମାଣ ସାମାନ୍ୟ ବଢ଼ିବ। କୋରାପୁଟ, ମାଲକାନାଗିରି ଓ ଗଜପତି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ୨୧ ତାରିଖରେ ରାଜ୍ୟ ସାରା ଗୋଟିଏ ୨ଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୨ରୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବା ଆଶଙ୍କା ଥିବାବେଳେ ପାଗ ମୁଖ୍ୟତଃ କୋହଲା ରହିବ। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବ। ଏହି ପାଗ ଆସନ୍ତା ୨୪ ତାରିଖ ଯାଏ ଲାଗି ରହିବ। ୨୫ ତାରିଖ କିମ୍ବା ତା’ପରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସପାଇବ। ଫଳରେ ଶୀତ ପରିମାଣ ବୃଦ୍ଧିପାଇବା ସମ୍ଭାବନା ରହିଥିବା ଶ୍ରୀ ବିଶ୍ୱାସ କହିଛନ୍ତି। ସେହିପରି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ମଧ୍ୟ ଉପରୋକ୍ତ ଅବପାତ ନେଇ ସୂଚନା ଦିଆଯାଇଛି।
ସିଇସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅବପାତ ପ୍ରଭାବରେ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସାମାନ୍ୟ ବର୍ଷା, ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ୨୪ ତାରିଖ ଠାରୁ ଆକାଶ ନିର୍ମଳ ରହିବା ସହ ୨୫ ତାରିଖରୁ ରାତିର ତାପମାତ୍ର କମିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ପାହାଡ଼ି ଅଞ୍ଚଳରେ ସାଧାରଣତଃ ରାତି ପାରଦ ୧୫ରୁ ୧୭ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଥିବାବେଳେ ସମତଳ ଅଞ୍ଚଳରେ ଏହା ୧୮ରୁ ୨୦ ଡିଗ୍ରୀ ଓ ଉପକୂଳ ଅଞ୍ଚଳରେ ୨୪ ଡିଗ୍ରୀ ତଥା ତା’ଠୁ ଉର୍ଦ୍ଧ୍ୱ ରେକର୍ଡ ହୋଇଛି। ଆଉ ୨୪ ଘଣ୍ଟା ମଧ୍ୟ ରାଜ୍ୟରେ ସର୍ବନିମ୍ନ ପାରଦ ଖସିବା ସମ୍ଭାବନା ରହିଥିବାବେଳେ ୨୦ ତାରିଖରୁ ପୁଣି ପାରଦ ବଢ଼ିବ। ଆକାଶରେ ବର୍ଷା ବଳୟ ଲମ୍ବିବା କାରଣରୁ ଶୀତ ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ଆଶା ପ୍ରକାଶ କରିଛି।