ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୪,୬୪୯ଟି ପଞ୍ଚାୟତରେ ରାଜ୍ୟ ସରକାର ଜଣେ ଲେଖାଏଁ ଏସ୍ଏଚ୍ଜି ମହିଳାଙ୍କୁ ବ୍ୟାଙ୍କିଂ କରେସପଣ୍ଡେଣ୍ଟ୍ ଭାବେ ନିଯୁକ୍ତ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣାକୁ ନେଇ ଏବେ ରାଜନୀତି ତୀବ୍ର ହୋଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହା ଏକ ନିର୍ବାଚନୀ ଥୋପ ବୋଲି ଅଭିଯୋଗ କରିଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଲଲିପପ୍ ଛଡ଼ା କିଛି ନୁହେଁ। ଏହି ଲଲିପପ୍କୁ ମହିଳା ପ୍ରତ୍ୟାଖାନ କରିବେ। କାରଣ ମହିଳାଙ୍କୁ ଦରକାର ସୁରକ୍ଷିତ ସମାଜ ଏବଂ ସୁରକ୍ଷିତ ବାତାବରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନାରେ ମହିଳା ସଶକ୍ତ ହେବେ। ଏ କଥା ଦେଖିବାର ଦାୟିତ୍ୱ ଭାରତୀୟ ଜନତା ପାର୍ଟିର ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେହିଭଳି କଂଗେସ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ କହିବାନୁଯାୟୀ ବର୍ତ୍ତମାନର ସ୍ଥିତିରେ ମହିଳାଙ୍କୁ ଦରକାର ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷା। ହେଲେ ତାହା ପ୍ରଦାନ କରିବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜର ଅକ୍ଷମତା ପ୍ରଦର୍ଶନ କରିଛନ୍ତି। ଏଣୁ ମହିଳାମାନେ ଏ କଥାକୁ ବୁଝିବା ଦରକାର ବୋଲି ସେ ଯୁକ୍ତି ରଖିଛନ୍ତି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି କହି ଦୁଇ ଦଳଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ସହ ଏହାର କିଛି ସଂପୃକ୍ତି ନାହିଁ। ରାଜ୍ୟ ସରକାର ଅନେକ ସମୟରେ ବହୁ ଯୋଜନା ପ୍ରଣୟନ କରିଥାନ୍ତି। ଯେକୌଣସି ସମୟରେ ଯୋଜନାଟିଏ ହେଲେ ଏହା ଯେ ନିର୍ବାଚନ ସକାଶେ କରାଗଲା ଏପରି କହିବା ଭୁଲ। ଯୋଜନାରୁ ସାଧାରଣ ଲୋକ ସୁଫଳ ପାଇବେ ଏବଂ ମହିଳାମାନେ ମଧ୍ୟ ସୁଫଳ ପାଇବେ। ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଦୌ ଚିନ୍ତିତ ନାହିଁ। ଆମେ କାହାର ଭୋଟ ବ୍ୟାଙ୍କ ଉପରେ ନିର୍ଭରଶୀଳ ନାହୁଁ । ଭୋଟର ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆମର ଭରସା ଅଛି ବୋଲି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।
ପ୍ରକାଶ ଯେ ରାଜ୍ୟର ମୋଟ୍ ୬,୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨,୧୪୯ଟିରେ ବ୍ୟାଙ୍କ ଶାଖା ରହିଛି। ଏବେ ସୁଦ୍ଧା ୪,୬୪୯ଟି ପଞ୍ଚାୟତରେ କୌଣସି ବ୍ୟାଙ୍କ ଶାଖା ଖୋଲିପାରିନାହିଁ। ଏଣୁ ଏହି ପଞ୍ଚାୟତଗୁଡ଼ିକରେ ସାଧାରଣ ଲୋକଙ୍କ ବ୍ୟାଙ୍କ ଜନିତ ସମସ୍ୟାଗୁଡ଼ିକର ସମାଧାନ ଲାଗି ରାଜ୍ୟ ସରକାର ଏସ୍ଏଚ୍ଜି ମହିଳାଙ୍କୁ ବ୍ୟାଙ୍କିଂ କରେସପଣ୍ଡେଣ୍ଟ ଭାବେ ନିଯୁକ୍ତ କରିବେ। ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଏବେ ସୁଦ୍ଧା ୧୨୬୨ ଏସ୍ଏଚ୍ଜି ସଦସ୍ୟାଙ୍କୁ ନିଯୁକ୍ତି ପ୍ରଦାନ ସରିଥିବା ବେଳେ, ୩,୫୦୮ଟିରେ ମା’ ମାନଙ୍କର ଚୟନ ପ୍ରକ୍ରିୟା ଜାରିରହିଛି। ମାସକୁ ସେମାନଙ୍କୁ ୨୦୦୦ ଲେଖାଏଁ ଦରମା ପ୍ରଦାନ କରାଯିବ। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ସହ ଭର୍ଚୁଆଲ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗଦେଇ ସମାନ ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟର ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଏବଂ ଏସ୍ଏଚ୍ଜି ମହିଳାଙ୍କୁ ବ୍ୟାଙ୍କିଂ କରେସପଣ୍ଡେଣ୍ଟ ନିଯୁକ୍ତ କରିବା ନେଇ ସେ ଦାବି ରଖିଥିଲେ।