୧୪ ବର୍ଷର ରାଖଲ ଘରେ ପହଞ୍ଚିଲା ପ୍ରସାଶନ

ରାଇଘର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମର ୧୪ ବର୍ଷର ରାଖଲ ସମଦାର ନିଜ ପାଠ ପଢା ସହିତ ଘରର ଦାୟିତ୍ୱ ଓ ମାନସିକ ବିକାରଗ୍ରସ୍ତ ମାଆର ଦାୟିତ୍ୱ ମୁଣ୍ଡାଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ତା ଘରକୁ ବ୍ଲକ ପ୍ରସାଶାନ ଓ ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିଥିଲା।  ସୂଚନା ଅନୁଯାୟୀ, ନାବାଳକ ରାଖଲ ୮ମ ଶ୍ରେଣୀରେ ପାଠ ପଢିବା ସହିତ ବାହାରେ ମୂଲ ଲାଗି ପରିବାର ଚଳାଉଛି। ପରିବାର କହିଲେ ସେ ଆଉ ତାର ପାଗଳୀ ମାଆ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ରାଇଘର ବ୍ଲକ ବିଡିଓ ଯୁଧିଷ୍ଠୀର ନାୟକ ରାଖଲ ଘରକୁ ଯାଇ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ରାଖଲର ପରିବାରକୁ ସରକାରଙ୍କ ତରଫରୁ ପିଡିଏସ ଚାଉଳ, ଗହମ ଓ କିରାସିନି ମିଳୁଥିବା ବେଳେ ସରକାରଙ୍କ ତରଫରୁ ଘର ଖଣ୍ଡେ ଦେବାର ବ୍ୟବସ୍ଥା କରିଯିବ ବୋଲି ବିଡିଓ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏଥିସହିତ ସ୍ୱାସ୍ଥ୍ୟବିଭାଗ ସେଠାରେ ପହଞ୍ଚି ମାନସିକ ବିକାରଗ୍ରସ୍ତ ମଙ୍ଗଲି ସମଦାରଙ୍କୁ ଚିକିସ୍ଥା ନିମନ୍ତେ ନବରଙ୍ଗପୁର ମେଡିକାଲକୁ ନେବା ପାଇଁ ପ୍ରସ୍ତୁତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।