ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆପ୍ ର ବିକ୍ଷୋଭ

ରାୟଗଡ଼ା,ଏନ୍ଏନ୍ଏସ୍: ତୈଳ ଓ ଗ୍ୟାସ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ରବିବାର ସ୍ଥାନୀୟ କପିଳାସ ଛକଠାରେ ରାୟଗଡ଼ା ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଆବାହକ ଜନ୍ମେଞ୍ଜୟ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇଥିଲେ । ବୃଦ୍ଧି ପାଉଥିବା ଡିଜେଲ, ପେଟ୍ରୋଲ,ଗ୍ୟାସ ଦରଦାମ ଯୋଗୁଁ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ପରିବାର ଉପରେ ଏହାର ଅଧିକ ପ୍ରଭାବ ପଡୁଛି । ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀ ସ୍ୱାଇଁ । ବିକ୍ଷୋଭ ବେଳେ ୩୨୬ ନମ୍ବର ଜାତୀୟ ରାଜପଥରେ ଆପ୍ ମହିଳା କର୍ମୀମାନେ ଗ୍ୟାସ ବଦଳରେ କାଠଚୁଲିରେ ଚା’ ପ୍ରସ୍ତୁତ କରି ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ଅବସରରେ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।