ଔଷଧ ଦୋକାନରେ ଚଢଉ, କଫ୍ ସିରପ୍ ଜବତ

ରାୟଗଡା,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷଣା ହୋଇଥିବା ଏବଂ ଅବୈଧ ଭାବେ ବିକ୍ରୀ ହେଉଥିବା ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡା ମେନ ରୋଡ ସ୍ଥିତ ସାଇ ମଣିକାଂଟା ମେଡିକାଲ ଷ୍ଟୋର ଉପରେ ଚଢଉ କରାଯାଇଥିଲା। ଦୋକାନୀ ମାନେ କିଭଳି ଭାବେ ନିୟମ ଅନୁଯାୟୀ ନଥିପତ୍ରର ବିବରଣୀ ରଖୁଛନ୍ତି ଏବଂ ତା ସହ ବେଆଇନ ଘୋଷଣା ହୋଇଥିବା ମେଡିସନ ଗୁଡିକ ବିକ୍ରୀ କରୁଛନ୍ତି କି ନାହିଁ ସେ ନେଇ ଯାଂଚ ହୋଇଥିଲା।

ବିଶେଷ କରି କଫ ସିରଫ ଏବଂ ଏଟିଂବାଇଟିକ ମେଡିସନ ଗୁଡିକ ଯାଂଚ କରାଯାଇଥିଲା। ଯାଂଚ ସମୟରେ ୩ଟି କଫ ସିରଫ ଏବଂ ୨ଟି ଏଟିଂବାଇଟିକ ମେଡିସନର ମାନ ନିର୍ଦ୍ଧାରଣ କରିବା ପାଇଁ ଲେବକୁ ପଠାଯାଇଥିବା ଡ୍ରଗ୍ସ ନିରୀକ୍ଷକ ରଶ୍ମିରଂଜନ ନାୟକ ପ୍ରକାଶ କରିଛନ୍ତି। ଯଦି ଲେବକୁ ପଠାଯାଇଥିବା ସାମ୍ପଲରେ କିଛି ଗଡବଡ ଦେଖାଯାଏ ତା ହେଲେ ମେଡିକାଲ ଷ୍ଟୋର ମାଲିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀନାୟକ ପ୍ରକାଶ କରିଥିଲେ। ଆଗକୁ ଏପରି ଅଚାନକ ଚଢଉ ଜାରୀ ରହିବ ବୋଲି ମଧ୍ୟ ଶ୍ରୀନାୟକ ପ୍ରକାଶ କରିଥିଲେ।

ଆଜିର ଏହି ଚଢଉ ସମୟରେ ଅବକାରୀ ବିଭାଗର ଏସ.ଆଇ ସୂର୍ଯ୍ୟନାରାୟଣ ରଥ, ଏଏସଆଇ କେ.ତିରୁପତି ପଟ୍ଟନାୟକ, କନେଷ୍ଟବଲ ରୀନା ବାରିକ, ଉମେଶ କୁମାର ଦୋରାଙ୍କ ସହ ଭେଷଜ ବିଭାଗର ଅନ୍ୟ କର୍ମଚାରୀ ଚଢଉ ସମୟରେ ସହଯୋଗ କରିଥିଲେ।