କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍

ବାୟନାଡ଼,ଏଜେନ୍ସି : ଦେଶରେ ମହିଳାଙ୍କ ପ୍ରତି ହିଂସା ରୋକିବାରେ ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତବ୍ୟକ୍ତ କରିଛନ୍ତି। କେରଳର ବାୟନାଡ଼ ଲୋକସଭା କ୍ଷେତ୍ରରେ ଆୟୋଜିତ ଜନସମାବେଶରେ ଯୋଗଦେଇ ସେ କହିଛନ୍ତି, ‘ସାରାଦେଶରେ ହିଂସାକାଣ୍ଡ ବୃଦ୍ଧି ପାଉଥିବା ନେଇ ଆପଣମାନେ ଦେଖିବାକୁ ପାଉଛନ୍ତି। ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଆଇନକାନୁନ ବୋଲି କିଛି ଗୋଟିଏ ଥିବାର ପ୍ରତୀୟମାନ ହେଉନି। ଖବରକାଗଜ ପୃଷ୍ଠା ଓଲଟାଇବା ମାତ୍ରେ ନାବାଳିକା, ଯୁବତୀ ଓ ମହିଳାଙ୍କ ପ୍ରତି ଦୁଷ୍କର୍ମ, ନିର୍ଯାତନା ମାମଲା ଦୃଷ୍ଟିରେ ପଡୁଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଦଳିତଙ୍କ ପ୍ରତି ମଧ୍ୟ ହିଂସାକାଣ୍ଡ ବୃଦ୍ଧି ପାଉଛି।

ଶାସନ ପରିଚାଳନା କରୁଥିବା ବ୍ୟକ୍ତିମାନେ ହିଂସାକାଣ୍ଡ ପ୍ରତି ଅଧିକ ବିଶ୍ୱାସ କରୁଥିବା ମନେହେଉଛି। ଦିଲ୍ଲୀ ହସ୍ପିଟାଲରେ ଚିକିତ୍ସାଧୀନ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁର ଦିନକ ପରେ ରାହୁଲ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। ହାଇଦ୍ରାବାଦରେ ମହିଳା ପ୍ରାଣୀଧନ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ତା’ପରେ ପୋଡ଼ିଦେବା ଉଦ୍ୟମକୁ ମଧ୍ୟ ରାହୁଲ ତୀବ୍ର ସମାଲୋଚନା କରିଛନ୍ତି।

ସେ ପୁଣି କହିଛନ୍ତି, ‘ସାରାବିଶ୍ୱରେ ଭାରତକୁ ଦୁଷ୍କର୍ମର ରାଜଧାନୀ ଭାବେ ଅଭିହିତ କରାଗଲାଣି। ଭାରତୀୟ ସଭ୍ୟତା ମହିଳାଙ୍କ ପ୍ରତି ଆଚାର ବ୍ୟବହାର ପ୍ରଦର୍ଶନ କରିବା ଜାଣନ୍ତି ନାହିଁ ବୋଲି ବିଶ୍ୱବାସୀ କହିବା ଆରମ୍ଭ କଲେଣି।’

ବିଜେପିର ଜଣେ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଜେଲରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେ ବିଷୟରେ ପଦୁଟେ କହିଲେନି। ଇତିମଧ୍ୟରେ ଉନ୍ନାଓ ପୀଡ଼ିତାଙ୍କ ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ ହେବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇ ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ।