ରାହୁଲଙ୍କ ଅଭିଯୋଗ, ‘ସଂସଦରେ ମୋତେ କହିବାକୁ ଦିଆଯାଉନାହିଁ’

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀଙ୍କୁ କଥା କଥାରେ ଚ୍ୟାଲେଞ୍ଜ ଦେଉଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ। ତାଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ସେ କହିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ମାଇକ୍ ବନ୍ଦ କରିଦିଆଯାଉଛି। ଏପରିକି ଟିଭିରେ ମଧ୍ୟ ପ୍ରସାରିତ ହେଉନାହିଁ ତାଙ୍କ ଭାଷଣ। ଏଭଳି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ସଂସଦରେ କ’ଣ ବକ୍ତବ୍ୟ ଦେବାକୁପଡିବ ଏହା ତାଙ୍କୁ ଭାରତୀୟ ଜନତା ପାର୍ଟିର ସାଂସଦ କହୁଛନ୍ତି। ଆମେରିକାର ବ୍ରାଉନ ୟୁନିଭର୍ସିଟି ପ୍ରଫେସର ଆଶୁତୋଷ ୱାର୍ଣ୍ଣେୟଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ଅନଲାଇନ ଆଲୋଚନା ମଧ୍ୟରେ ଏହି ଅଭିଯୋଗ କରିଛନ୍ତି ରାହୁଲ। କେବଳ ଏତିକି ନୁହେଁ, ପ୍ରଫେସରଙ୍କ ସାମ୍ନାରେ ଦେଶର ନ୍ୟାୟପାଳିକା ଭଳି ସଂସ୍ଥା ଉପରେ ଆଙ୍ଗୁଳି ଉଠାଇଛନ୍ତି ରାହୁଲ। ଦେଶରେ ନ୍ୟାୟପାଳିକା ଦୁର୍ବଳ ହୋଇପଡିଥିବା କହିଛନ୍ତି ରାହୁଲ। ସେ କହିଛନ୍ତି, ଏହା ବିନା କିଛି ଆଶା କରିବା ବ୍ୟର୍ଥ। ସଂସଦରେ ମୋର ମାଇକ ବନ୍ଦ କରିଦିଆଯାଉଛି। ଟିଭିରେ ମୋ ଭାଷଣ ପ୍ରସାରିତ ହେଉନାହିଁ।

ସୂଚନା ଅନୁସାରେ ରାହୁଲ ଅନେକ ସମୟରେ ସଂସଦରେ ଚର୍ଚ୍ଚାରୁ ବାହାରକୁ ଯାଇ ବିଷୟ ବହିର୍ଭୂତ ବକ୍ତବ୍ୟ ରଖୁଥିଲେ। ନିକଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ସମୟରେ ଏହା ଉପରେ କୌଣସି ଚର୍ଚ୍ଚ କରିବା ପରିବର୍ତ୍ତେ କୃଷି ଆଇନକୁ ନେଇ ସରକାରଙ୍କୁ ଗୃହରେ ଟାର୍ଗେଟ କରିଥିଲେ ରାହୁଲ। ଏପରିକି ଚାଷୀ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ ଦୁଇ ମିନିଟ ମୌନ ପ୍ରାର୍ଥନା କରିଥିଲେ ରାହୁଲ। ପରେ ଏନେଇ ତାଙ୍କ ବିରୋଧରେ ସଂସଦର ଅବମାନନା ପ୍ରସ୍ତାବ ଆଣିଥିଲା ବିଜେପି।