କୃଷକଙ୍କ ଉପରେ ଲାଠି ମାଡ଼କୁ ନେଇ ବର୍ଷିଲେ ରାହୁଲ, କହିଲେ ଭାରତ ମୁଣ୍ଡ ଲାଜରେ ନଇଁଗଲା

କରନାଲ,ଏଜେନ୍ସି: ହରିଆଣା ଜିଲ୍ଲାର କରନାଲ ଜିଲ୍ଲାରେ କୃଷକଙ୍କ ଉପରକୁ ପୁଲିସ ଲାଠି ମାଡ଼ କରିବା ଘଟଣାରେ ରାଜ୍ୟରେ ବହୁ ଜିଲ୍ଲାରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏନେଇ ରାହୁଲ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ପୁଣି କୃଷକର ରକ୍ତ ବହିଛି, ଲାଜରେ ଭାରତର ମୁଣ୍ଡ ନଇଁଯାଇଛି।

ରାହୁଲଙ୍କ ବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। କେଜ୍ରିୱାଲ ଟୁଇଟ କରି କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ଲାଠି ମାଡ଼ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ।

ଏହି ଘଟଣା ପ୍ରଘଟ ହେବା ପରେ ହରିଆଣାର ଅନେକ ଜିଲ୍ଲାରେ କୃଷକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିବା ଜଣାପଡ଼ିଛି। ସେହିପରି ପଞ୍ଚକୁଲାରେ ଥିବା ଚଣ୍ଡିମନ୍ଦିର ଟୋଲ ପ୍ଲାଜାକୁ କୃଷକମାନେ କବଜା କରିନେଇଛନ୍ତି।