ଆସାମରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଓ ପ୍ରିୟଙ୍କା

ଦିସପୁର,ଏଜେନ୍ସି: ଦଳର ପ୍ରଚାର ପାଇଁ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଇ ଦିନିଆ ଆସାମ ଗସ୍ତରେ ଯିବେ। ଆଗାମୀ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଅଲଗା ଅଲଗା ଦିନରେ ଆସାମ ଗସ୍ତ କରିବେ। ମାର୍ଚ୍ଚ ୧୯ ଏବଂ ୨୦ ରେ ରାହୁଲ ଗାନ୍ଧୀ ଆସାମରେ ପ୍ରଚାର କରିବେ। ସେହିପରି ମାର୍ଚ୍ଚ ୨୧ ଏବଂ ୨୨ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସାମ ଗସ୍ତ କରିବେ।

ରାହୁଲ ଗାନ୍ଧୀ ଆଜି ସକାଳେ ଲାହୋଲ ଦିବ୍ରୁଗଡ଼ରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହା ପରେ ରାହୁଲ ଗାନ୍ଧୀ ପାନିତୋଲା ବ୍ଲକର ଦିନାଜୋରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ। ଆସାମରେ ରାହୁଲ ଗାନ୍ଧୀଙ୍କ ଏହା ହେଉଛି ଦ୍ୱିତୀୟ ଗସ୍ତ। ଏଥିସହିତ ତିନସୁକିଆର ଡୁମ ଡୁମେରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ମାର୍ଚ୍ଚ ୨୦ ରେ ରାହୁଲ ଗାନ୍ଧୀ ପୂର୍ବ ଆସାମରେ ଏକ ରାଲିକୁ ସମ୍ବୋଧିତ କରିବେ।

ପ୍ରିୟଙ୍କା ଗାନ୍ଧୀ ୨୧ ଏବଂ ୨୨ ମାର୍ଚ୍ଚରେ ଆସାମ ଗସ୍ତ କରିବେ, ଯେଉଁଠାରେ ସେ ୬ ଟି ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବେ। ଆସାମରେ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଆସାମରେ ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୨ ମେ’ରେ ଭୋଟ୍ ଗଣାଯିବ।