ଭାରତୀୟ ବାୟୁସେନାରେ ଆରମ୍ଭ ହେଲା ରାଫେଲ ଯୁଗ

ଅମ୍ବାଲା,ଏଜେନ୍ସି: ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେଲା ଲଢ଼ୁଆ ବିମାନ ରାଫେଲ। ଆଜି ଅମ୍ୱାଲା ଏୟାରବେସରେ ଏନେଇ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲିଙ୍କ ସହ ସିଡିଏସ ବିପିନ୍ ରାୱତ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ଆର.କେ.ଏସ୍ ଭଦୋରିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଦିନ ୧୦ଟା ୩୦ମିନିଟରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ପୁରୋହିତମାନେ ଭାରତୀୟ ବାୟୁସେନାରେ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନର ସର୍ବ ଧର୍ମ ପୂଜା କରିଥିଲେ। ଏହା ପରେ ଉଦ୍‌ଘାଟନୀ ସମାରୋହ ଆରମ୍ଭ ହୋଇଥିଲା। ଫ୍ଲାଏପାଷ୍ଟ ସହ ପାରମ୍ପାରିକ ଶୈଳୀରେ ପୁନର୍ବାର ରାଫେଲ ବିମାନକୁ ଏକ ପାଣି ତୋପ ସଲାମି ଦିଆଯାଇଥିଲା। ପରେ ସାରଙ୍ଗ ଏରୋବାଟିକ୍ ଟିମ୍ ଅମ୍ବାଲା ଏୟାରବେସରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ। ଏହି ଦଳ ରାଫେଲକୁ ତାଙ୍କର ଅନନ୍ୟ କୌଶଳ ସହିତ ଅଭିବାଦନ ଜଣାଇଥିଲେ।

ଆଇଏଏଫ୍ ମୁଖ୍ୟ ଆର.କେ.ଏସ୍ ଭଦୋରିଆ କହିଛନ୍ତି ଯେ, “ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାରେ ରାଫେଲକୁ ସାମିଲ କରିବା ଦ୍ବାରା ଶତ୍ରୁକୁ କଡ଼ା ଜବାବ ମିଳିପାରିବ। ରାଫେଲ ଯେକୌଣସି ସ୍ଥାନରେ ଏବଂ ଯେତେବେଳେ ବି ନିୟୋଜିତ ହେବ ସେ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବ।”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ରାଫେଲ ଜେଟ ଭାରତୀୟ ବାୟୁସେନାରେ ସାମିଲ ହୋଇ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିଛି। ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ରାଫେଲ ଜେଟ୍ ଭାରତକୁ ସାହାଯ୍ୟ କରିବ। ଏହା ଭାରତର ପ୍ରତିରକ୍ଷା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଆମେ ଫ୍ରାନ୍ସକୁ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରୁଛୁ। ପ୍ରତିରକ୍ଷା ଏବଂ ପ୍ରତିରକ୍ଷା କରିଡରରେ ୭୪% ଏଫଡିଆଇ ଅନୁମତି ଦିଆଯାଇଛି, ଆଶା କରୁଛି ଫ୍ରାନ୍ସ ଏହି ପଦକ୍ଷେପର ଲାଭ ଉଠାଇବ।

ଫ୍ରାନ୍ସ ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି ଯେ, “କୋଭିଡ -୧୯ ମହାମାରୀ ସତ୍ତ୍ବେ ଭାରତୀୟ ବାୟୁ ସେନାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ବହୁତ ଖୁସି। ଏହା ଭାରତ ଏବଂ ଫ୍ରାନ୍ସ ପାଇଁ ଏକ ସଫଳତା। ରାଫେଲେ ଅର୍ଥ ହେଉଛି ପବନ ବହିବା କିମ୍ବା ଅଗ୍ନି ବିସ୍ଫୋରଣ ହେବା। ଏହା ମଧ୍ୟ ଭାରତ-ଫ୍ରାନ୍ସ ସମ୍ପର୍କର ପ୍ରତୀକ ଅଟେ। ୩୬ ରାଫାଲ୍ ଜେଟ୍ କାର୍ଯ୍ୟକ୍ରମର ମାନେ ଆମ ପାଇଁ ବହୁତ କିଛି।