ବାଲିଗୁଡ଼ା,ଏନ୍ଏନ୍ଏସ୍: ଆଜିର ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓକୁ ଭୁଲି ଯାଉଥିବାବେଳେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବାଲିଗୁଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପରିସରରେ ରେଡ଼ିଓ ମହକ ଷ୍ଟେସନ-୮୯.୬ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ମଧୁମିତା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରିବା ସହ ଉଦବୋଧନ ଦେଇଥିଲେ । ଏଥିରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା, ଏନଏ ସାହା ଆନସାରୀ, ଏସ କେ ଅବଦୁଲ ସଫିକ, ଫୁଲବାଣୀ ଶିଶୁ ମଙ୍ଗଳ ସଦସ୍ୟ ସଦାଶିବ ପାତ୍ର ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ମଧୁସୂଦନ ମହାପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ସମିତି ପରିସରରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପୂର୍ବକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ରେଡ଼ିଓ ମହକ ତରଫରୁ ଫୁଲବାଣୀରୁ ଆସିଥିବା ରୂପମ୍ବିକା ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା । ସମିତିର ୩୦ରୁ ୪୦ କିଲୋମିଟର ଦୂରତା ମଧ୍ୟରେ ଏହି ରେଡ଼ିଓ ମହକ ଷ୍ଟେସନର ସୁବିଧା ସମସ୍ତ ଜନସାଧାରଣ ପାଇପାରିବେ ବୋଲି ସମିତିର ସହସମ୍ପାଦକ ତଥା ରେଡ଼ିଓ ମହକର ନିର୍ଦେଶକ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।