ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୂତି ଭୂଷଣ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ମୁଖ୍ୟବକ୍ତା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ସଭାପତି, ପାଲୁପାଇ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦାଶ, କୁଜେନ୍ଦ୍ରୀ ସମିତି ସଭ୍ୟ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମାଣ୍ଡାଙ୍ଗୀ ସମ୍ମାନୀତ ଅତିଥି ଭାବେ କୁଜେନ୍ଦ୍ରୀ ସରପଞ୍ଚ ଶ୍ରୀ ରମେଶ ଶବର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜିବ ଗାଣ୍ଟା ଆମନ୍ତ୍ରିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିସ୍ଫୁଟନ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ରଙ୍ଗମଞ୍ଚରେ ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ନୃତ୍ୟଗୁଡ଼ିକୁ ମୂଲ୍ୟାୟନ କରିବା ନିମନ୍ତେ ବିଚାରକ ଭାବେ ହରିଶ୍ଚନ୍ଦ୍ର ଗୌଡ଼, ମନୋଜ ଜେନା ଓ ସୁଶ୍ରୀ ସୁଦିପ୍ତା ରାଜଗୁରୁ ଉପସ୍ଥିତ ଥିଲେ । ଏକକ ନୃତ୍ୟରେ ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ାର ଛାତ୍ରୀ କୁମାରୀ ପ୍ରିତି ଶବର ଓ ଦଳଗତ ନୃତ୍ୟରେ ପାଲୁପାଇ ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀମାନେ ୧ମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆସନ୍ତା ଜିଲ୍ଲାସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟ ଦିଲ୍ଲୀପ ଚୌଧୁରୀ ପରିଚାଳନା କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରତିଯୋଗୀତାରେ ବିଚାରକ ରୂପେ ରହି ମୂଲ୍ୟାୟନ କରିଥିଲେ । ରାମନାଗୁଡ଼ା ବ୍ଲକର ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ଶୁଭଜିତ ପଟ୍ଟନାୟକ ଓ ଆନନ୍ଦ କୁମାର ପରିଛାଙ୍କୁ ସରଗିଫୁଲ କମିଟି ତରଫରୁ ଉପଢୌକନ ଦେଇ ମଞ୍ଚରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଉଥିଲା । କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ନିଲାମଗୁଡ଼ା ନୀଳମାଧବ ଶ୍ରୀରାମ, ବଡ଼ ମୁନିଗାଁ ରାଜେନ୍ଦ୍ର ମହାଙ୍କୁଡ଼, ସୁରେନ୍ଦ୍ର କୈବର୍ତ୍ତ, ସୁବାସ ଚୌଧୁରୀ, ରବି କୁମାର, ଟିକରପଡ଼ା ପ୍ରଧାନଶିକ୍ଷୟିତ୍ରୀ ସଂଘମିତ୍ରା ଅଧିକାରୀ, ଝିଞ୍ଜିରିବାଡ଼ି ଗାୟତ୍ରୀ ମିଶ୍ର ଓ କଣ୍ଡାଜାମ ଗୌରୀ ତୁଳ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ସରଗିଫୁଲ କମିଟି ତରଫରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କେନ୍ଦୁଗୁଡ଼ା ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ ।