ବନ୍ଦେ ଭାରତ ମିଶନରେ ହଂକଂରୁ ଦିଲ୍ଲୀକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ହଂଗ କଂଗରେ ଥିବା ଭାରତୀୟଙ୍କ ପାଇଁ ବନ୍ଦେ ଭାରତ ମିଶନରେ ବିମାନ ସେବା ଆରମ୍ଭ ହେଉଛି। ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଏହି ସେବା ଆରମ୍ଭ ହେଉଛି। ଜୁନ୍ ୨୩ ତାରିଖରେ ହଂକଂରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିବ ଏୟାର ଇଣ୍ଡିଆର ବିମାନ। ଏହି ବିମାନରେ ଭାରତୀୟ ପ୍ରବାସୀ (ପିଆଇଓ) ଓ ଭାରତୀୟ ବିଦେଶୀ ନାଗରିକ (ଓସିଆଇ) କାର୍ଡ ଧାରୀଙ୍କ ସହିତ ବୈଧ୍ୟ ଭାରତୀୟ ଭିସା ସହିତ ବିଦେଶୀ ନାଗରିକ ଯାତ୍ରୀମାନେ ଭାରତ ଆସିପାରିବେ। ଏହି ପର୍ଯ୍ୟାୟରେ ପର୍ଯ୍ୟଟକ ଭିସାକୁ ଅନୁମତି ମିଳିବ ନାହିଁ।

ଏଥିସହିତ ବିମାନ ଯାତ୍ରା ପାଇଁ ଗାଇଡଲାଇନ ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଯାତ୍ରୀ ପାଇଁ ଆରଟି ପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି, ଯାହାକି ବିମାନରେ ବସିବାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ। ସେହିପରି ବିମାନ ଯାତ୍ରା ପୂର୍ବରୁ ଯାତ୍ରୀ ଜଣଙ୍କ ଏୟାର ସୁବିଧା ପୋର୍ଟାଲରେ ଅନଲାଇନରେ ଆତ୍ମ ଘୋଷଣା କରିବା ସହିତ ନିଜର ନେଗେଟିଭ ଆରଟି ପିସିଆର ରିପୋର୍ଟ ଅପଲୋଡ କରିବେ। ଏଥିସହ ବିମାନ ଯାଞ୍ଚ ସମୟରେ ଯାତ୍ରୀଙ୍କୁ ଆରଟି ପିସଆର ରିପୋର୍ଟର ଏକ କପି ସାଙ୍ଗରେ ନେଇ ଆସିବାକୁ ହେବ। ଯାତ୍ରୀଙ୍କୁ ନିଜ ଫୋନରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରି ନିଜକୁ ପଞ୍ଜିକୃତ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଏନେଇ (+୮୫୨ ୯୦୭୭୧୦୮୩) ଦିବା ରାତ୍ରି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।