ଜମି ବିବାଦକୁ ନେଇ ଗଣ୍ଡଗୋଳ, ଜଣେ ମୃତ ଓ ଜଣେ ଗୁରୁତର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା କୁମ୍ଭାରୀ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ମାରପିଟ୍ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭିମ ଭୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏନେଇ ଏକ ମାମଲାରେ ରୁଜୁ କରିବା ସହିତ ୨ ଜଣଙ୍କୁ ଅଟକ ରଖିଛି।

ପ୍ରକାଶ ଥାଉକି, କୁମ୍ଭାରୀ ଗ୍ରାମର ଦୁଇ ପରିବାର ବିଜୟ ରଣା ଓ ଡ଼ିଙ୍ଗର ରଣାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଭିତରେ ବିଜୟ ରଣାଙ୍କ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ଡ଼ିଙ୍ଗର ରଣାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇବା ପରେ ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ପୁଲିସ ୨ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ପଚରାଉଚରା କରୁଥିବା ଜଣାପଡ଼ିଛି। ଏଥିସହ ମୃତ୍ୟୁ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠା ଯାଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରୁଛି।