କ୍ୱାରେଣ୍ଟାଇନରେ ସାଂସଦ ଲକଡାଉନ ବିଧାୟକ: କରୋନା ମୈଦାନରେ ପ୍ରଶାସନ ଏକଲା

ଦେବଗଡ଼,ଏନ୍ଏନ୍ଏସ୍: ଆଜି ଠାରୁ ଓଡ଼ିଶା ସମେତ ସାରା ଭାରତରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଏହାକୁ କଡାକଡି ଭାବେ ପାଳନ କରାଯାଉଛି। ତେବେ ଏହି ପରିପ୍ରେକ୍ଷୀରେ ଚାରିଆଡେ ଏ ନେଇ ସଚେତନତା କରାଯାଉଥିବା ବେଳେ ଦେବଗଡ଼ରେ ଏଥିରେ ଅଭାବ ଦେଖାଦେଇଛି।

ସୂଚନା ଅନୁସାରେ ଏଠାକାର ସାଂସଦ ନିତେଶ ଗଙ୍ଗଦେବ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କରୋନା ସମ୍ପର୍କିତ କୌଣସି ସଚେତନତା କାର୍ଯ୍ୟକ୍ରମ କରିନାହାନ୍ତି। ଲକଡାଉନ ସମୟରେ ରାଜନୈତିକ ନେତୃ ବୃନ୍ଦ ଜନସାଧାରଣ ତଥା ନିଜ କର୍ମୀ ଓ ସମର୍ଥକଙ୍କୁ ଜନସଚେତନତା କାର୍ଯ୍ୟରେ ସାମିଲ କରି ଜିଲ୍ଲାକୁ କରୋନା ମୁକ୍ତ ରଖିବା ସହ ସରକାରୀ ଅଧିକାରୀଙ୍କୁ ସହଯୋଗର ହାତ ବଢାଇଲେ ଏହା ଦେଶସେବା ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ଅନ୍ୟପଟେ ସହର ତଥା ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ସଚେତନ କରାଯାଉଥିଲେ ମଧ୍ୟ ଜନସାଧାରଣ ଏହାକୁ ମାନୁନଥିବା ଦେଖାଯାଇଛି। ଏ ନେଇ ନିଜେ ଏସପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଭିନ୍ନ ଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦେବା ସହ ସଚେତନ କରୁଛନ୍ତି। ତେବେ ଯଦି କିଏ ଏହି ଆଇନକୁ ଉଲଂଘନ କରିବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ବାଧ୍ୟ ହେବେ ବୋଲି ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।