କରୋନା ମୁକାବିଲାରେ ଆଗୁଆ ଦେଶ

ନିତିଦିନ ବ୍ୟୁରୋ: କରୋନାକୁ ହରାଇବା ପାଇଁ ସମଗ୍ର ବିଶ୍ୱ ଅଣ୍ଟା ଭିଡ଼ିଥିବା ବେଳେ ଚୀନର ପଡ଼ୋଶୀ ରାଷ୍ଟ୍ର ଏହାକୁ କାବୁ କରିବାରେ ସଫଳ ହୋଇଛି। ଏହି ଦେଶ କରୋନାକୁ ହରାଇବା ପାଇଁ ଯେଉଁ ପଦ୍ଧତି ଆପଣାଇଛି ତାହା ଏବେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଯାଇଛି। ଏହି ଦେଶର ନାମ ହେଉଛି ଦକ୍ଷିଣ କୋରିଆ। କରୋନା ସଂକ୍ରମିତ ଦେଶର ତାଲିକାରେ ଦକ୍ଷିଣ କୋରିଆ ଏବେ ନବମ ସ୍ଥାନରେ ରହିଛି। ଏବେ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୯୧୩୭ ଥିବାବେଳେ ୩୫୦୦ରୁ ଅଧିକ ଲୋକ ଠିକ୍ ହୋଇଛନ୍ତି। ୧୨୯ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୯ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି।

ଦକ୍ଷିଣ କୋରିଆରେ ୮ ଓ ୯ ମାର୍ଚ୍ଚରେ ୮ ହଜାର ସଂକ୍ରମିତ ଲୋକଙ୍କ ମାମଲା ସାମ୍ନାକୁ ଆସିଥିଲା କିନ୍ତୁ ଗତ ୨ ଦିନରେ ଏହି ହାର କମି ମାତ୍ର ୧୨ ହୋଇଯାଇଛି। ଆଶ୍ଚର୍ଯ୍ୟକର କଥାଟି ହେଲା, ପ୍ରଥମ ଘଟଣା ସାମ୍ନାକୁ ଆସିବାଠୁ ଆଜି ପର୍ଯ୍ୟନ୍ତ ଏଠାରେ ଲକ୍ଡାଉନ୍ ହୋଇନାହିଁ କି ବଜାର ବନ୍ଦ ହୋଇନାହିଁ। ଦକ୍ଷିଣ କୋରିଆର ବିଦେଶ ମନ୍ତ୍ରୀ କାଙ୍ଗ ୟୁଙ୍ଗ କହିଛନ୍ତି କି, ତୁରନ୍ତ ଯାଞ୍ଚ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗୁଁ କରୋନା ରୋଗୀଙ୍କ ସଂଖ୍ୟା କମିଛି। ସେଥିପାଇଁ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ଏଠାରେ ୬୦୦ରୁ ଅଧିକ ଯାଞ୍ଚ ସେଣ୍ଟର ଖୋଲାଯାଇ ଥିବାବେଳେ ୫୦ରୁ ଅଧିକ ଡ୍ରାଇଭିଂ ଷ୍ଟେସନରେ ସ୍କ୍ରିନିଂ କରାଯାଇଛି। ଶରୀରର ତାପମାତ୍ରା ଓ ଗଳା ଖରାପ ଯାଞ୍ଚକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏଥିପାଇଁ ମାତ୍ର ୧୦ ମିନିଟ୍ ଲାଗୁଥିଲା ଓ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଦକ୍ଷିଣ କୋରିଆ ସରକାର ସଂକ୍ରମଣ ଯାଞ୍ଚ କରିବା ପାଇଁ ବଡ଼ ବଡ଼ ହୋଟେଲ, ପାର୍କିଂ ଓ ସାର୍ବଜନିକ ସ୍ଥଳୀରେୁ ଥର୍ମଲ ଇମେଜିଙ୍ଗ କ୍ୟାମେରା ଲଗାଇଥିଲେ ଯଦ୍ୱାରା ଜ୍ୱର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇପାରିବ। ବିଶେଷଜ୍ଞମାନେ ମଧ୍ୟ ସଂକ୍ରମଣରୁ ବଞ୍ଚିବାରେ କିପରି ହାତକୁ ଉପଯୋଗ କରାଯାଇପାରିବ ତା’ର ଉପାୟ ଲୋକଙ୍କୁ ଶିଖାଇଥିଲେ। ଏଥିରେ ଯଦି କୌଣସି ବ୍ୟକ୍ତି ଡାହାଣ ହାତରେ ସବୁ କାମ କରୁଛି ତେବେ ମୋବାଇଲ ଚଲାଇବା, କବାଟ ଖୋଲିବା ଓ ଅନ୍ୟ ଛୋଟ ବଡ଼ କାମ ବାମ ହାତରେ କରିବା ପାଇଁ କୁହାଯାଇଥିଲା। ସେହିପରି ବାମ ହାତରେ ଅଧିକ କାମ କରୁଥିବା ଲୋକଙ୍କୁ ଡାହାଣ ହାତ ଉପଯୋଗ କରିବା ପାଇଁ କୁହାଯାଇଥିଲା। କାରଣ ଜଣେ ଲୋକ ପ୍ରତ୍ୟେକ ଦିନ ଯେଉଁ ହାତର ଉପଯୋଗ ଅଧିକ କରେ ସେହି ହାତରେ ମୁହଁକୁ ମଧ୍ୟ ଛୁଇଁଥାଏ ସେଥିପାଇଁ ଏହି ପଦ୍ଧତି ଆପଣା ଯାଇଥିଲା ଯାହାକି ଫଳପ୍ରଦ ସାବ୍ୟସ୍ତ ହୋଇଛି।