ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲେ ପିଭି ସିନ୍ଧୁ, ସୁଟିଂରେ ମନୁ-ଯଶ୍ୱସ୍ୱୀ ବିଫଳ

ଟୋକିଓ,ଏଜେନ୍ସି: ରିଓ ଅଲିମ୍ପିକ୍ସ-୨୦୧୬ର ପଦକ ବିଜୟିନୀ ତଥା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ରବିବାର ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ଇସରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି। ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି।

ଭାରତର ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ବର୍ଗରେ ନୌକାଯାନ ଲାଇଟୱେଟ ଲବଲସ୍କଲ୍ସ ପ୍ରତିଯୋଗିତାର ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତୀୟ ଯୋଡ଼ି ଏଥିପାଇଁ ୬: ୫୧.୩୬ ସମୟ ନେଇଛନ୍ତି। ଆରମ୍ଭରୁ ୧୦୦ ମିଟର ପର୍ଯ୍ୟନ୍ତ ୪ର୍ଥ ସ୍ଥାନରେ ଥିଲେ। ପରେ ଦ୍ରୁତ ଗତିରେ ନୌକା ଚଳାଇ ୩ୟ ସ୍ଥାନରେ ପହଞ୍ଚିଥିଲେ।

ଏହା ପୂର୍ବରୁ ଭାରତୀୟ ସୁଟର ମନୁ ଭାସ୍କର ଓ ଯଶସ୍ୱିନୀ ଦେସୱାଲ ରବିବାର ଭାରତୀୟ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସର ୩ୟ ଦିନରେ ରବବାର ଭାରତର ଏହି ୨ ଜଣ ଶୀର୍ଷ ୮ଟି ସ୍ଥାନରେ ସାମିଲ ହୋଇପାରି ନାହାନ୍ତି। ଏଥି ସହିତ ମହିଳା ବର୍ଗର ୧୦ ମିଟର ଏୟାର ପିସ୍ତର ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଯାଇଛି।