ନିରଞ୍ଜନ ଘର ସଜାଡ଼ିବା ଆରମ୍ଭ କଲେ, ଡ. ଜ୍ଞାନେନ୍ଦ୍ର ସେବା ଦଳର ମୁଖ୍ୟ ନିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ପ୍ରମୁଖ ଶାଖା ସଂଗଠନ କଂଗ୍ରେସ ସେବା ଦଳକୁ ସକ୍ରିୟ କରିବା ଆରମ୍ଭ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜ୍ଞାନଦେବ ବେଉରା ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ମୁଖ୍ୟ ଭାବେ ନିଯୁକ୍ତି କରିବା ପାଇଁ ଶ୍ରୀ ପଟ୍ଟନାୟକ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୁପାରିଶ କରିଥିଲେ। ଆଜି ଏହି ସୁପାରିଶକୁ ସୋନିଆ ଗାନ୍ଧୀ ଗ୍ରହଣ କରିଛନ୍ତି। ଏ ନେଇ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭେନୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସଭାପତିତ୍ୱ ସମୟରେ ଡ. ଜ୍ଞାନେନ୍ଦ୍ର ୧୧ ବର୍ଷ ଧରି କଂଗ୍ରେସ ସେବା ଦଳ ସଂଗଠନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।