ସ୍ପୁଟନିକ-୫ ଟିକା ଭାରତ ଓ ଚୀନରେ ପ୍ରସ୍ତୁତ ହୋଇପାରିବ: ପୁଟିନ୍

ମସ୍କୋ, ଏଜେନ୍ସି: ରୁଷିଆ ନିର୍ମିତ କରୋନା ଟିକା ସ୍ପୁଟନିକ୍-୫ ଭାରତ ଓ ଚୀନରେ ଉତ୍ପାଦିତ ହୋଇପାରିବ ବୋଲି ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ କହିଛନ୍ତି। ସେ ମଙ୍ଗଳବାର କହିଛନ୍ତି, ବ୍ରିକ୍ସ ରାଷ୍ଟ୍ରଗୁଡିକ ମିଳିତ ଭାବେ ଏହି ଟିକା ଉତ୍ପାଦନରେ ସହଯୋଗ କରିବା ଆବଶ୍ୟକ। ଭାରତ ଓ ଚୀନ୍ରେ ଏହାର ଉତ୍ପାଦନ କରାଯାଇପାରିବ। ୫ ରାଷ୍ଟ୍ର ବିଶିଷ୍ଟ ସଂଗଠନ ବ୍ରିକ୍ସର ଦ୍ୱାଦଶ ଶୀର୍ଷ ସମ୍ମିଳନୀରେ ପୁଟିନ୍ ଭିଡିଓ କନଫରେନ୍ସିଂ ଯୋଗେ ଭାଗ ନେଇ ସେ କହିଛନ୍ତି, ଗତ ଅଗଷ୍ଟ ମାସରେ ସ୍ପୁଟନିକ୍-୫ ଟିକା ପଞ୍ଜିକୃତ ହୋଇଥିଲା। ଭାରତ ଓ ବ୍ରାଜିଲରେ ସ୍ପୁଟନିକ୍-୫ ଟିକାର ମାନବିକ ପରୀକ୍ଷଣ ପାଇଁ ରୁଷିଆର ପ୍ରତ୍ୟେକ୍ଷ ପୁଞ୍ଜିନିବେଶ ଫଣ୍ଡ୍ ପକ୍ଷରୁ ଏହି ଦୁଇରାଷ୍ଟ୍ର ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୀନ୍ ଓ ଭାରତର ଔଷଧ କମ୍ପାନୀଗୁଡିକ ଏ କ୍ଷେତ୍ରରେ ସହଯୋଗ କରିପାରିବେ ବୋଲି ପୁଟିନ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୧୧ରେ ରୁଷିଆ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଏହି କରୋନା ଟିକାର ପଞ୍ଜିକରଣ କରିଥିଲା। ଗାମାଲେୟା ଗବେଷଣା ପ୍ରତିଷ୍ଠାନ ଏହି ଟିିକା ବିକଶିତ କରିଛି ଏବଂ ରୁଷିଆର ପ୍ରତ୍ୟେକ୍ଷ ନିବେଶ ଫଣ୍ଡ୍ (ଆଇଡିଆଇଏଫ) ବିଦେଶରେ ଏହି ଟିକାର ଉତ୍ପାଦନ ଓ ପରୀକ୍ଷଣ ପାଇଁ ପୁଞ୍ଜିନିବେଶ କରିଛି। ସ୍ପୁଟନିକ୍-୫ କରୋନା ଭୂତାଣୁ ବିଲୋପରେ ଫଳପ୍ରଦ ହୋଇପାରୁଛି ବୋଲି ପୁଟିନ୍ କହିଛନ୍ତି।