କାଲି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡ: ବିଜେପି ପୁଣିଥରେ ପୁଷ୍କର ସିଂହ ଧାମୀଙ୍କୁ ଉତ୍ତରାଖଣ୍ଡ ଦାୟିତ୍ୱ ପ୍ରଦାନ କରିଛି । ଆସନ୍ତାକାଲି ଦେହରାଦୁନର ପ୍ୟାରେଡ ଗ୍ରାଉଣ୍ଡରେ ଅପରାହ୍ନ ୩ଟା ୩୦ ମିନିଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସେଠାରେ ଧାମୀ ଓ ତାଙ୍କ କ୍ୟାବିନେଟ ପଦ ଓ ଗୋପନୀୟତାର ଶପଥ ନେବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର ସମ୍ଭାବନା ରହିଛି । ପ୍ୟାରେଡ ଗ୍ରାଉଣ୍ଡରେ ପାଖାପାଖି ୨୦ହଜାର ଲୋକଙ୍କ ବସିବାର ବନ୍ଦୋବସ୍ତ କରାଯାଇଛି । ୩ଟି ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ସୂଚନାଯୋଗ୍ୟ, ଶପଥ ଗ୍ରହଣ ସମାରୋହ ଲାଗି ୩ ଅନ୍ୟ ଜିଲ୍ଲାର ଏଡିଏମ ଓ ୧୦ ଏସଡିଏମଙ୍କୁ ନିଯୁକ୍ତ କରାଯାଇଛି । ଭିଆଇପି ଅତିଥୀଙ୍କ ରହିବା ଏବଂ ଗମନାଗମର ପ୍ରୋଟୋକଲକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କ ବସିବା ପାଇଁ ଭିନ୍ନ ଭିନ୍ନ ମଞ୍ଚ ପ୍ରସ୍ତୁତ କରାଯାଇଛି । ଏଥିସହିତ ସୁରକ୍ଷା ଦୃଷ୍ଟିରୁ ହଜାରେ ପୁଲିସଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି ।